ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି : ଗଙ୍ଗବାଡ଼ା ପଂଚାୟତର ମାଣିକପାଟଣାରେ ତେଲୁଗୁରେ ଲଗାଇଲା ପୋଷ୍ଟର

ଜଗନ ସରକାରଙ୍କ ଯୋଜନାର ଓଡ଼ିଶା ଗାଁରେ କଲା ପ୍ରଚାର

133

କନକ ବ୍ୟୁରୋ : ଓଡିଶା ସୀମାରେ ପୁଣି ଆନ୍ଧ୍ର ପୋଷ୍ଟର । ଗଜପତି ଜିଲ୍ଲାର ମାଣିକପାଟଣା ଗାଁରେ ଆନ୍ଧ୍ର ସରକାରଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଉଲ୍ଲେଖ ରହିଛି । ଏହା ପୂର୍ବରୁ ମଧ୍ୟ ସୀମାରେ ଆନ୍ଧ୍ର ସରକାରଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଦୁଇ ସୀମାବର୍ତ୍ତୀ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା ରହିଥିଲା । ଆଉ ଆନ୍ଧ୍ର ଅଧିକାରୀଙ୍କୁ ପୂରାଇ ନଦେବାକୁ ଓଡିଶା ସରକାର ପୁଲିସ ଯୋଗାଇଥିଲା । ଏବେ ପୁଣି ଆନ୍ଧ୍ର ଅଧିକାରୀ ବିବାଦୀୟ ଅଂଚଳରେ ପୋଷ୍ଟର ଲଗାଇବା ଘଟଣାକୁ ଆହୁରି ବିବାଦୀୟ କରିଛି ।

ଗତକାଲି ଗ୍ରାମର ବିଭିନ୍ନ ଘର ନିକଟରେ ଏସମସ୍ତ ପୋଷ୍ଟର୍‌କୁ ମଞ୍ଜୁଷାମଣ୍ଡଳର ପଞ୍ଚାୟତ ଭଲ୍ୟୁଣ୍ଟର୍ ମାନେ ମାରିଛନ୍ତି । ମାସର କେଉଁ ଦିନରେ ସରକାରୀ ରାସନ୍ ଦିଆଯିବ ଓ କେତେ ଦରରେ ସାଧାରଣ ଲୋକେ ଏହା ପାଇପାରିବେ, ଏସଂକ୍ରାନ୍ତରେ ପୋଷ୍ଟର୍‌ରେ ଉଲ୍ଲେଖ କରାଯାଇଛି । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବିବାଦକୁ ନେଇ ସରକାରୀସ୍ତରରେ ଆଲୋଚନା ହେଉଥିଲେ ବି ଆନ୍ଧ୍ରପ୍ରଦେଶ ପ୍ରଶାସନର ଏଭଳି ମନମୁଖି ନୀତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ଏହି ପୋଷ୍ଟର୍ ସଂପର୍କରେ ଗଜପତି ଜିଲ୍ଲା ପ୍ରଶାସନକୁ ସୂଚନା ମିଳିସାରିଥିଲେ ହେଁ, ଏଯାବତ୍ ଏଗୁଡ଼ିକୁ ହଟାଇବା ଦିଗରେ ପ୍ରୟାସ ଆରମ୍ଭ ହୋଇନି । ଗଙ୍ଗାବାଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ କହିଛନ୍ତି, ଏବେ ମଧ୍ୟ ନିୟମିତ ଭାବେ ମାଣିକପାଟଣା ଓ ଗୁଡ଼ୁଖୁଡି ଗ୍ରାମବାସୀଙ୍କୁ ଓଡ଼ିଶା ରାସନ କାର୍ଡ଼ ଛାଡ଼ି ଆନ୍ଧ୍ରପ୍ରଦେଶ ରାସନ କାର୍ଡ଼ ନେବା ପାଇଁ ଚାପ ସୃଷ୍ଟି କରାଯାଉଛି । କେବଳ ଏତିକି ନୁହେଁ, ପଡ଼ୋଶୀ ମଣ୍ଡଳର ସରକାରୀ ଅଧିକାରୀ ମାନେ ନିୟମିତ ଏଠାକୁ ଆସୁଛନ୍ତି । ବାରମ୍ବାର ସୀମାନ୍ତ ଗ୍ରାମକୁ ଆନ୍ଧ୍ରପ୍ରଦେଶର ବୋଲି ଦାବି କରୁଛନ୍ତି ।