କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଏକ ଫେସବୁକ ପୋଷ୍ଟ କରି ପ୍ରତିକ୍ରିୟା ରଖିଛନ୍ତି ସାଲୁର ବିଧାୟକ । ରାଜେନ୍ଦ୍ର ଦୋରା ଲେଖିଛନ୍ତି ଯେ, ତାଙ୍କ ପାଇଁ ସବୁଠାରୁ ବଡ ପ୍ରସଙ୍ଗ କୋଟିଆ । ଏବଂ ଏ ପ୍ରସଙ୍ଗରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାରୁ ସେ ଜଗନ ମୋହନ ରେଡ୍ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୪ବର୍ଷ ଧରି ଚନ୍ଦ୍ରବାବୁ ନାଇଡୁ କ୍ଷମତାରେ ରହିଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇନଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି ।
ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଦୁଇ ରାଜ୍ୟର ମୁଖ୍ୟ ସଚିବ, ଡିଜିପି ଓ ଅନ୍ୟ ଅଧିକାରୀମାନଙ୍କୁ ନେଇ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ତାଙ୍କ ଲେଖାର ଭାଷାରୁ ଜଣାପଡୁଛି ଯେ, କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ଉପରେ ତାଙ୍କର ଯଥେଷ୍ଟ ଭରସା ରହିଛି । ତାଙ୍କ କହିବା ହେଲା କୋଟିଆ ଅଂଚଳର ଲୋକେ ବିଜୟନଗରମ ଜିଲ୍ଲାପାଳ ଓ ଏସପି ଏବଂ ଆଇଟିଡିଏ ପିଓଙ୍କୁ ଲିଖିତ ଭାବେ ଆନ୍ଧ୍ରରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାଇଛନ୍ତି । ତେଣୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ ଆଶାବାଦୀ ଥିବା ଏହି ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।