ସ୍ୱାମୀ ରେକର୍ଡ କଲେ ସ୍ତ୍ରୀର ଆତ୍ମହତ୍ୟା ଦୃଶ୍ୟ : ଅଭିଯୁକ୍ତକୁ ଗିରଫ କରିବା ସହ ମୋବାଇଲ ଜବତ କଲା ପୋଲିସ

113

କନକ ବ୍ୟୁରୋ : ସ୍ୱାମୀ ରେକର୍ଡ କଲେ ସ୍ତ୍ରୀର ଆତ୍ମହତ୍ୟା ଦୃଶ୍ୟ । ରେକର୍ଡ କରିସାରିବା ପରେ ଭିଡିଓକୁ ସ୍ତ୍ରୀର ସମ୍ପର୍କୀୟଙ୍କ ପାଖକୁ ପଠାଇଲେ । ଏଭଳି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଘଟଣାଟି ଶୁଣିଲା ସମୟରେ ବଡ ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ପୁରା ସତ । ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଆତ୍ମାକୁର ଟାଉନରେ ଏଭଳି ଏକ ଘଟଣା ଘଟିଛି । ନେଲୋର ପୋଲିସ ପକ୍ଷରୁ ଜଣଙ୍କୁ ଏ ମାମଲାରେ ଗିରଫ କରାଯାଇଛି । ମୃତ ମହିଳା ଜଣଙ୍କ ୨୯ ବର୍ଷୀୟ କୋଣ୍ଡାମା ବୋଲି ଜଣାପଡିଛନ୍ତି । ୧୨ ବର୍ଷ ତଳେ କୋଣ୍ଡୋମା ପେଂଛାଲାଇଙ୍କୁ ବିବାହ କରିଥିଲେ ।

ପରକୀୟା ପ୍ରୀତିଥିବା ସନ୍ଦେହରେ କୋଣ୍ଡୋମାଙ୍କୁ ବାରମ୍ବାର ସ୍ୱାମୀ ହଇରାଣ କରୁଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ମଂଗଳବାର ରାତିରେ ଉଭୟଙ୍କ ମଧ୍ୟରେ ଯୋରଦାର ବଚସା ହେଇଥିଲା । ଯାହାପରେ କୋଣ୍ଡୋମା ନିଜ ଜୀବନ ଶେଷ କରିବାକୁ ସ୍ଥିର କରିଥିଲେ । ଏକ ସାଢୀ ସାହାଯ୍ୟରେ ମହିଳା ଜଣଙ୍କ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ତେବେ ସେ ସମୟରେ ସ୍ୱାମୀ ଜଣଙ୍କ ସେଠାରେ ଉପସ୍ଥିତ ରହି ଅଟକେଇବା ବଦଳରେ ମହିଳାଙ୍କ ଜୀବନ ହାରିବାର ଦୃଶ୍ୟକୁ ସୁଟ କରିଥିଲେ । ଆଉ ଏହାପରେ ଏ ଭିଡିଓକୁ ମହିଳାଙ୍କ ପରିବାର ଲୋକଙ୍କୁ ପଠାଇ ଶେଷକୃର୍ତ୍ୟ ପାଇଁ ମୃତଦେହକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ତେବେ ପୋଲିସ ପକ୍ଷରୁ ଏ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଆଇନ ଅନୁସାରେ କାଯ୍ୟନୁଷ୍ଠାନ ନିଆଯିବ ବେଲି କୁହାଯାଇଛି ।