କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ର କରୁଛି ନିର୍ବାଚନ । ତଳଗଞ୍ଜେଇ ପଦର ଓ ଫଗୁଣସିନେରିର ୨ ସରପଞ୍ଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ।

74

କନକ ବ୍ୟୁରୋ : ଓଡିଶା ଉପରେ ପଡୋଶୀର ଆଖି । ଆଗରୁ ସୀମାକୁ ମାଡି ଆସୁଥିଲା, ଆଉ ଏବେ ନିର୍ବାଚନ କରୁଛି । କୋରାପୁଟ କୋଟିଆର ୩ଟି ପଂଚାୟତରେ ନିର୍ବାଚନ ଆୟୋଜନ କରୁଛି ଆନ୍ଧ୍ର ପ୍ରଦେଶ । ଏହିକ୍ରମରେ କୋଟିଆର ତଳଗଂଜେଇ ପଦର ଓ ଫଗୁଣସିନେରିର ୨ ଜଣ ସରପଂଚ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । କେବଳ ଔପଚାରିକ ଘୋଷଣା ବାକି ରହିଛି ।

ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା । ହେଲେ ଓଡିଶାରୁ ଆନ୍ଧ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୨ ଜଣ ସରପଂଚ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଯେହେତୁ ଆଉ କେହି ପ୍ରାର୍ଥୀ ହୋଇ ନାହାନ୍ତି, ତେଣୁ ସେମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୧୩ରେ ପଟୁ ସିନେରିରେ ପଂଚାୟତ ନିର୍ବାଚନ କରିବ ଆନ୍ଧ୍ର ।

ସେପଟେ କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଓଡିଶା । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ଜଣାପଡିଛି । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ ।

ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର କରିଛନ୍ତି । ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆ ପଂଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଂଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି । ଆଗାମୀ ୧୩ ତାରିଖରେ ଏହି ଅଂଚଳରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି ।

ତେବେ ପୂର୍ବରୁ କେବଳ ଏହି ଅଂଚଳରେ ସରକାରୀ ଯୋଜନା ବିତରଣ କରୁଥିବା ଆନ୍ଧ୍ର ସରକାର ନିର୍ବାଚନ କରି ଓଡିଶାର ସୀମାନ୍ତ ଗାଁକୁ ନିଜ ଅକ୍ତିଆରକୁ ନେବାପାଇଁ ଷଡଯନ୍ତ୍ର କରିଛନ୍ତି । ଯାହାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ରଣନୀତି ପ୍ରସ୍ତୁତ ହେବାପରେ ସୁପ୍ରିମକୋର୍ଟରେ ଆନ୍ଧ୍ର ଚାଲବାଜିର ସମସ୍ତ ତଥ୍ୟ, ପ୍ରମାଣ ଉପସ୍ଥାପନ କରାଯିବ ବୋଲି ଜଣାପିଡିଛି ।