କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣା : ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସରକାର; ରଣନୀତି ସ୍ଥିର କରିବାକୁ ଆଜି ବସିବ ବୈଠକ

ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶରେ ଚାଲିଛି ପ୍ରସ୍ତୁତି

75

କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଓଡିଶା । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ଜଣାପଡିଛି । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର କରିଛନ୍ତି । ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆ ପଂଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଂଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି ।

ଆଗାମୀ ୧୩ ତାରିଖରେ ଏହି ଅଂଚଳରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି । ତେବେ ପୂର୍ବରୁ କେବଳ ଏହି ଅଂଚଳରେ ସରକାରୀ ଯୋଜନା ବିତରଣ କରୁଥିବା ଆନ୍ଧ୍ର ସରକାର ନିର୍ବାଚନ କରି ଓଡିଶାର ସୀମାନ୍ତ ଗାଁକୁ ନିଜ ଅକ୍ତିଆରକୁ ନେବାପାଇଁ ଷଡଯନ୍ତ୍ର କରିଛନ୍ତି । ଯାହାକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ରଣନୀତି ପ୍ରସ୍ତୁତ ହେବାପରେ ସୁପ୍ରିମକୋର୍ଟରେ ଆନ୍ଧ୍ର ଚାଲବାଜିର ସମସ୍ତ ତଥ୍ୟ, ପ୍ରମାଣ ଉପସ୍ଥାପନ କରାଯିବ ବୋଲି ଜଣାପିଡିଛି ।

ଆନ୍ଧ୍ରପ୍ରଦେଶ ସହିତ ଓଡିଶାର ସୀମା ବିବାଦ ଦୀର୍ଘ ଦିନରୁ ରହିଆସିଛି । ତେବେ ଆନ୍ଧ୍ରଠାରୁ ତେଲେଙ୍ଗାନା ଅଲଗା ହେବାପରେ ଏହାର ପରିସୀମା କମିଯାଇଛି । ତେଣୁ ଭାରତ ସୀମାରେ ଚୀନର ବିସ୍ତାରବାଦ ଭଳି ଆନ୍ଧ୍ର ମଧ୍ୟ ଓଡିଶା ସୀମାରେ ବିସ୍ତାରବାଦ ଚଳାଇଛି ।
– ୧୯୩୬ ମସିହାରେ ସୀମା ନିର୍ଦ୍ଧାରଣ କରାଯାଇ ଓଡିଶା ପ୍ରଦେଶ ଗଠନ ହୋଇଥିଲା
– ୧୯୫୫ରେ ସୀମା କମିଟି ବସିବା ପରେ ଆନ୍ଧ୍ର ପ୍ରଦେଶ ଗଠନ ହେଲା
– ସୀମାନ୍ତ ଗାଁକୁ ନେଇ ବିବାଦ ଉପୁଜିବାରୁ ୧୯୬୮ରେ ସୁପ୍ରିମକୋର୍ଟ ଯାଇଥିଲା ଓଡିଶା
– ସ୍ଥିତାବସ୍ଥା ବଜାୟ ରଖିବାକୁ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ
– କିଛି ସମସ୍ୟ ଉପୁଜିଲେ ଆପୋଷ ବୁଝାମଣାରେ ସମାଧାନ କରିବାକୁ କହିଥିଲେ କୋର୍ଟ
– ହେଲେ ବାରମ୍ବାର ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛି ଆନ୍ଧ୍ର ପ୍ରଦେଶ
– ୨୦୧୯ ନିର୍ବାଚନ ପୂର୍ବରୁ ଆନ୍ଧ୍ର ଏବଂ ଓଡିଶାର ଜିଲ୍ଲାପାଳଙ୍କୁ ନେଇ ବୈଠକ ହୋଇଥିଲା
– ଓଡିଶା ସୀମାରେ କୌଣସି ବୁଥ୍ ନକରିବାକୁ ଚୁକ୍ତି କରିଥିଲେ ଆନ୍ଧ୍ର ସରକାର
– ଏହି ଚୁକ୍ତିକୁ ଉଲ୍ଲଂଘନ କରି ପଂଚାୟତ ନିର୍ବାଚନ କରିବାକୁ ପ୍ରକ୍ରିୟା ଜାରି ରଖିଛି ଆନ୍ଧ୍ର
– ଚୁକ୍ତିକୁ ଖିଲାପ କରିଥିବାରୁ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯିବେ ଓଡିଶା ସରକାର