କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତରଫରୁ ମଙ୍ଗଳବାର ଦିନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତାଙ୍କୁ ମେଡିକାଲ ଆଧାରରେ ୫୨ ଦିନ ପରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶ ପୋଲିସ ତରଫରୁ କୌଶଳ ବିକାଶ ଯୋଜନା ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିଥିଲା ।

Advertisment

ଏଏନଆଇ ମୁତାବକ ତାଙ୍କୁ ମିଳିଥିବା ଜାମିନ ପଛରେ ଅନେକଗୁଡିଏ ସର୍ତ୍ତ ରହିଛି । ନାଇଡୁଙ୍କୁ ନଭେମ୍ବର ୨୪ ତାରିଖରେ ପୁଣି କୋର୍ଟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦିଆଯାଇଛି । ମୁଖ୍ୟ ଜାମିନ ଯାଚିକା ଉପରେ ନଭେମ୍ବର ୧୦ ତାରିଖରେ ଶୁଣାଣି ହେବ । କୋର୍ଟ ତରଫରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଏହି ଅନ୍ତରୀଣ ଜାମିନ ସମୟରେ କେବଳ ମେଡିକାଲ ଯିବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଛନ୍ତି । ଏହାସହ କୋର୍ଟଙ୍କ ତରଫରୁ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ଗଣମାଧ୍ୟମ ସହ କଥାବାର୍ତ୍ତା କିମ୍ବା ରାଜନୈତିକ ଗତିବିଧୀ ଉପରେ ରୋକ୍ ଲଗାଇଛନ୍ତି ।

ଏବେ ଆସନ୍ତୁ ଜାଣିବା କଣ ଥିଲା ନାଇଡୁଙ୍କ ବିରୋଧରେ ମାମଲା । ହାଇଦ୍ରାବାଦ ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ଭାରୀ ଶିଳ୍ପରେ କାମ କରିବା ପାଇଁ ଯୁବକମାନଙ୍କୁ ଆବଶ୍ୟକ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିବାକୁ ଏହି ଯୋଜନାର ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଏକ ଘରୋଇ କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା । ଏହି ଯୋଜନା ଅଧୀନରେ ୬ଟି କ୍ଲଷ୍ଟର ଗଠନ କରାଯାଇ ଏଥିପାଇଁ ମୋଟ ୩୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଥିଲା ବୋଲି ଅଭିଯୋଗ ହୋଇଛି । ଯେଉଁଥିରେ ପ୍ରତି କ୍ଲଷ୍ଟର ପାଇଁ ୫୬୦ କୋଟି ଟଙ୍କା ଖର୍ଚ୍ଚ ହେବାର ଥିଲା । ଯେଉଁଥିରେ ରାଜ୍ୟ ସରକାରଙ୍କୁ ମୋଟ ଖର୍ଚ୍ଚର ୧୦ ପ୍ରତିଶତ ଖର୍ଚ୍ଚ କରିବାକୁ ପଡିଥିଲା । ଅର୍ଥାତ ସମୁଦାୟ ୩୭୦ କୋଟି ଟଙ୍କା । ଏହି ଟଙ୍କା ସେଲ୍ କମ୍ପାନୀକୁ ଟ୍ରାନ୍ସଫର କରାଯାଇଥିବା ସୂଚନା ମିଳିଛି ।