କନକ ବ୍ୟୁରୋ: ଆସନ୍ତା ୧୮ତାରିଖରେ କୋଟିଆରେ ପଡିବ ଭୋଟ୍ । ପଞ୍ଚାୟତ ସ୍ତରୀୟ ପ୍ରତିନିଧି ବାଛିବେ କୋଟିଆବାସୀ । ହେଲେ ନିର୍ବାଚନ ପୂର୍ବରୁ ଭୋଟକୁ ଭଣ୍ଡୁର କରିବାକୁ ବାଟ ଖୋଜୁଛି ପଡୋଶୀ ଆନ୍ଧ୍ର । ବାରମ୍ବାର ବିରୋଧ ସତ୍ତ୍ୱେ ବିଭିନ୍ନ ବାହାନା କରି ଓଡିଶା ମାଟିକୁ ଆସୁଛନ୍ତି ଆନ୍ଧ୍ର ସରକାରୀ କର୍ମଚାରୀ । ତେବେ ଏଥର ଚିକିତ୍ସା ଯୋଗାଇବା କଥା କହି ଆସିଥିବାବେଳେ ହଟହଟା ହୋଇଛନ୍ତି ଆନ୍ଧ୍ର କର୍ମଚାରୀ ।
- କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ କ୍ୟାମ୍ପ
- ନିର୍ବାଚନ ଭଣ୍ଡୁର କରିବାକୁ ଷଡଯନ୍ତ୍ର?
କୋଟିଆରେ ନିର୍ବାଚନ ଭଣ୍ଡୁର କରିବା ପାଇଁ ଗଳାବାଟ ଖୋଜୁଛି ପଡୋଶୀ ଆନ୍ଧ୍ର । କିପରି କୋଟିଆ ଲୋକ ଭୋଟ ଦେବାରୁ ନିବୃତ ରହିବେ ସେଥିପାଇଁ ଯୋଜନା କରୁଛି । ବିରୋଧ ସତ୍ତେ୍ୱ ଯେତେବେଳେ ଆନ୍ଧ୍ର ଅଧିକାରୀମାନେ କୋଟିଆ ଲୋକଙ୍କୁ ସୁବିଧା ଯୋଗାଇ ଦେବାକୁ ଏମିିତି ବାରମ୍ବାର ଆସୁଛନ୍ତି ସେତେବେଳେ ସନ୍ଦେହ ବଢ଼ିବାରେ ଲାଗିଛି । ଏଥର ଚିକିତ୍ସା ଯୋଗାଇ ଦେବା ବାହାନାରେ ପୁଣି ଥରେ କୋଟିଆ ଅଞ୍ଚଳକୁ ଆସିଥିଲେ କିଛି ଆନ୍ଧ୍ର ସରକାରୀ କର୍ମଚାରୀ । କୋଟିଆର ଲୋକଙ୍କୁ ଡାକି ସେମାନଙ୍କ ତାଲିକା ପ୍ରସ୍ତୁତ କରିିଥିଲେ । ହେଲେ ଏଥର ଖସି ପାରିନଥିଲେ ପଡୋଶୀ ରାଜ୍ୟର କର୍ମଚାରୀ । ସ୍ଥାନୀୟ ପୋଲିସ ହାତରେ ଧରାପଡି ଯାଇଥିଲେ ।
- ଆକ୍ସନରେ ଓଡିଶା ପୋଲିସ
- କୋଟିଆରୁ ଛତ୍ରଭଙ୍ଗ ଦେଲେ ଆନ୍ଧ୍ର କର୍ମଚାରୀ
କୋଟିଆକୁ ବାରମ୍ବାର ଆନ୍ଧ୍ର ଅଧିକାରୀ ଆସୁଥିଲେ ବି ଏଥର ଆକ୍ସନ ମୋଡକୁ ଆସିଛି ଓଡିଶା ପୋଲିସ । କୋଟିଆରେ ପ୍ରବେଶ ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ନେବା ପାଇଁ ତାଗିଦ କରିଛି ପୋଲିସ । କଥା ନମାନିଲେ ଫୋର୍ସ ଲଗାଇ ଜୋର ଜବରଦସ୍ତ ହଟାଇ ଦିଆଯିବ ବୋଲି ଧମକ ଦେଇଛି । ପୋଲିସର ନାଲିଆଖି ଦେଖି ଆନ୍ଧ୍ର କର୍ମଚାରୀ ସେଠାରୁ ଛତ୍ରଭଙ୍ଗ ଦେଇଛନ୍ତି । କୋରାପୁଟ ଜିଲ୍ଲାପାଳ ମଧ୍ୟ କୋଟିଆରେ କୌଣସି ପ୍ରକାରେ ଭୋଟରଙ୍କୁ ପ୍ରଭାବିତ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
ଆନ୍ଧ୍ରର କର୍ମଚାରୀମାନେ ଚାଲି ଯାଇଥିଲେ ବି ନିର୍ବାଚନକୁ ନେଇ ପଟାଙ୍ଗି ଥାନାକୁ ଆଉ ଏକ ଟିମ୍ ଆସିଥିବା ସୂଚନା ମିଳିଛି । ସେମାନେ କୋଟିଆର ଆଇନଶୃଙ୍ଖଳା ପରିସ୍ଥିିତି ନେଇ ପଚାରି ବୁଝିଥିଲେ । ତେବେ ଏହା ଓଡିଶାର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ଆନ୍ଧ୍ରର କୌଣସି ଭୂମିକା ନଥିବା କହିବାରୁ ସେମାନେ ଚାଲିଯାଇଥିବା ଜଣାପଡିଛି ।