ମଧ୍ୟରାତ୍ରି ଯାଏଁ ଭୋଟ୍ ଗ୍ରହଣ କରି ଇତିହାସ ସୃଷ୍ଟି କଲା ଆନ୍ଧ୍ରପ୍ରଦେଶ, ୮୦% ମତଦାନ ରେକର୍ଡ

ମଧ୍ୟରାତ୍ରି ଯାଏଁ ଭୋଟ୍ ଗ୍ରହଣ କରି ଇତିହାସ ସୃଷ୍ଟି କଲା ଆନ୍ଧ୍ରପ୍ରଦେଶ, ୮୦% ମତଦାନ ରେକର୍ଡ

SOURCE : India Today

ଗୁରୁବାର ରାଜ୍ୟର କେତେକ ବୁଥରେ ରାତି ଅଧ ଯାଏଁ ଭୋଟ୍ ଗ୍ରହଣ କରାଇ ଏକ ପ୍ରକାର ଇତିହାସ ସୃଷ୍ଟି କରିଛି ଆନ୍ଧ୍ରପ୍ରଦେଶ। ଉତ୍ତେଜନା ଓ ସଂଘର୍ଷ ଯୋଗୁଁ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ଓ ଅନେକ ଆହତ ହେବା ସତ୍ତ୍ୱେ ମତଦାନ ୮୦% ଭାଗ ହୋଇଛି। ଗୁଣ୍ଟୁର, କୃଷ୍ଣା, ନେଲ୍ଲୋର୍ ଏବଂ କୁର୍ଣ୍ଣୁଲ୍ ଆଦି ଜିଲ୍ଲାର କେତେକ ବୁଥରେ ସନ୍ଧ୍ୟା ୬ଟାରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଭୋଟରମାନଙ୍କୁ ଭୋଟ୍ ଦେବା ନିମନ୍ତେ କର୍ତ୍ତୃପକ୍ଷମାନେ ଅନୁମତି ଦେବାରୁ ଭୋଟ୍ ଗ୍ରହଣ ରାତି ଅଧରେ ଶେଷ ହୋଇଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳକୃଷ୍ଣ ଦ୍ୱିବେଦୀ କହିଲେ, ରାତି ଅଧ ହେଲେ ବି ୬ଟା ବେଳୁ ଯେଉଁମାନେ ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତି ସେମାନେ ଭୋଟ୍ ଦେବେ। ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନରେ ତ୍ରୁଟି ବିଚ୍ୟୁତି, ସଂଘର୍ଷ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୪୦୦ ବୁଥରେ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା। ସନ୍ଧ୍ୟା ୬ଟା ଯାଏଁ ରାଜ୍ୟର ୧୭୫ ବିଧାନସଭା ଏବଂ ୨୫ ଲୋକସଭା ଆସନରେ ୭୪%ରୁ ଅଧିକ ମତଦାନ ହୋଇଥିଲା। ୩୮୦ରୁ ଅଧିକ ବୁଥରେ ଦିନ ବେଳା ଇଭିଏମ୍ ତ୍ରୁଟି ଦେଖା ଦେଇଥିଲା। ଫଳରେ ଦୀର୍ଘ ସମୟ ଅପେକ୍ଷା କରି ଭୋଟର୍ମାନେ ଘରକୁ ଫେରି ଯାଇଥିଲେ।

ଭୋଟରମାନଙ୍କ ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ମୌଳିକ ସୁବିଧା ନଥିବା ଦର୍ଶାଇ ମଙ୍ଗଳଗିରି ବିଧାନସଭା ଆସନରୁ ଲଢୁଥିବା ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ପୁତ୍ର ନର ଲୋକେଶ ତାଡ଼େପଲ୍ଲୀ ସହରର ଗୋଟିଏ ବୁଥରେ ଗୁରୁବାର ବିଳମ୍ବିତ ରାତ୍ରୀ ଯାଏଁ ପ୍ରତିବାଦ କରିଥିଲେ। ସେ କହିଥିଲେ, ଇଭିଏମ୍ ଓ ଭିଭିପିଏଟି କାମ ନକରିବାରୁ ଭୋଟଦାତାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଲା। ସେମାନଙ୍କ ପାଇଁ ପିଇବା ପାଣିର ମଧ୍ୟ ବନ୍ଦୋବସ୍ତ କରାଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe