କନକ ବ୍ୟୁରୋ : ନଦୀ ପରିଚାଳନାରେ ଓଡିଶା ସରକାରଙ୍କ ଅବହେଳା ଯୋଗୁଁ କିଭଳି ମହାନଦୀ ଶୁଖିଲା ପଡିଛି, ଗତକାଲି ଆମେ ଖବର ପରିବେଷଣ କରିଥିଲୁ । ମହାନଦୀ ଉପର ମୁଣ୍ଡରେ ବନ୍ଧ ବାନ୍ଧି ପାଣିକୁ ଅଟକାଇ ଦେଉଛି ଛତିଶଗଡ । ସେହିଭଳି ସମାନ ଧରଣରେ ଶୁଖିଲା ପଡିଛି ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ନଦୀ ଶଯ୍ୟା । ଓଡିଶାର ନଦୀ ପାଣିକୁ ପଡିଶା ବ୍ୟବହାର କରୁଛନ୍ତି ହେଲେ ଆମ ରାଜ୍ୟରେ ନଦୀ ଶୁଖିଲା ପଡିଛି ।

Advertisment

ସବୁ ନଦୀର ତଳ ମୁଣ୍ଡରେ ଆନ୍ଧ୍ର ସରକାର ବ୍ୟାରେଜ ନିର୍ମାଣ କରି ଚାଷ ଜମିକୁ ପାଣି ଯୋଗାଇବା ସହ ପିଇବା ପାଣି ଓ ଶିଳ୍ପ ପାଇଁ ବ୍ୟବହାର କରୁଛନ୍ତି । ଏପଟେ ଓଡିଶା ସରକାରଙ୍କ ପଦକ୍ଷେପ କେବଳ ଘୋଷଣାରେ ସୀମିତ ରହିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୨୧୭ କିଲୋମିଟର ଲମ୍ବ ଚିରସ୍ରୋତା ବଂଶଧାରା ନଦୀର ସିଂହଭାଗ ଅର୍ଥାତ ୧୨୫ କିଲୋମିଟର ଓଡିଶାରେ ପ୍ରବାହିତ ହେଉଛି । କିନ୍ତୁ ନଦୀ ଉପରେ ବ୍ୟାରେଜ ନିର୍ମାଣ କରି ବଂଶଧାରା ପାଣିକୁ କୃଷି କାମରେ ଓଡିଶା ସରକାର ବ୍ୟବହାର କରିବାରେ ବିଫଳ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଆନ୍ଧ୍ର ସରକାର ବଂଶଧାରା ଉପରେ ଗୋଟ୍ଟା, କାଟ୍ରାଗୁଡା ଭଳି ନଦୀବନ୍ଧ କରିବା ସହ ନେରେଡି ବ୍ୟାରେଜ ପାଇଁ ପ୍ରସ୍ତୁତି କରୁଛନ୍ତି । ସେହିପରି ନାଗାବଳୀ ନଦୀ ଜଳକୁ ମଧ୍ୟ ଶୋଷୁଛି ଆନ୍ଧ୍ର । ନାଗାବଳୀ ଉପରେ ଓଡିଶା ସରକାର କୌଣସି ଡ୍ୟାମ କରିବାକୁ ବିଫଳ ହୋଇଥିବାବେଳେ ଆନ୍ଧ୍ରର ତୋଟାପଲ୍ଲୀରେ ନିର୍ମିତ ବ୍ୟାରେଜ ଲକ୍ଷାଧିକ ଏକର ଜମିକୁ ଜଳସେଚିତ କରିପାରୁଛି । ସେହିପରି ଝଞ୍ଜାବତୀ ନଦୀରେ ମଧ୍ୟ ରବର ଡ୍ୟାମ ନିର୍ମାଣ କରି ଫାଇଦା ନେଉଛି ପଡୋଶୀ ରାଜ୍ୟ ।