କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଜଗନମୋହନ । ବିମାନବନ୍ଦରରେ ପହଞ୍ଚିବା ପରେ ଜଗନମୋହନ ସିଧାସଳଖ ରାଜ୍ୟ ଅତିଥି ଭବନକୁ ଯାଇଛନ୍ତି । ସେଠାରେ କିଛି ସମୟ ବିତାଇବା ପରେ ନିବାସ ନିବାସ ଯିବେ ଜଗନମୋହନ । ସେଠାରେ ନବୀନ ଓ ଜଗନମୋହନଙ୍କ ମଧ୍ୟରେ ଆଲୋଚନା ହେବାକୁ ଥିବା ବେଳେ ପରେ ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବୈଠକ କରିବେ । ଏଠାରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ଚାଲିବ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଜି ଓଡିଶା ଆସିଥିବାବେଳେ ସବୁଠାରୁ ବିବାଦୀୟ କୋଟିଆ ପ୍ରସଙ୍ଗରେ ଆଲୋଚନା କରିବେ ନା ନାହିଁ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଆଉ ଏହାରି ଭିତରେ ମିଳିଥିବା ସୂଚନା ଅନୁସାରେ ଓଡିଶା ଆସିବା ପୂର୍ବରୁ କୋଟିଆକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ୱାଇଏସ ଜଗନ ମୋହନ ରେଡ୍ଡି । ଏପରିକି କୋରାପୁଟ ଜିଲ୍ଲାର କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବିଜୟନଗରମ୍ ଜିଲ୍ଲାପାଳ ।
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ସହ ଆଲୋଚନା ବେଳେ ଜିଲ୍ଲାପାଳ ସୂର୍ଯ୍ୟକୁମାରୀ କହିଥିଲେ ଯେ, କୋଟିଆ ଗ୍ରାମପୁଞ୍ଜର ୨୧ଟି ଗାଁରୁ ୧୬ଟି ଆନ୍ଧ୍ର ସହିତ ରହିବାକୁ ଇଚ୍ଛୁକ । ସେଥିପାଇଁ ଏସବୁ ଗାଁରେ ନିର୍ବାଚନ ମଧ୍ୟ କରାଯାଇଛି । କୋଟିଆ ଗ୍ରାମପୁଞ୍ଜରେ ପ୍ରାୟ ୮୭ ପ୍ରତିଶତ ଆଦିବାସୀ ସଂପ୍ରଦାୟ ରହୁଛନ୍ତି । ତେଣୁ ଏସବୁ ଅଂଚଳରେ ଆନ୍ଧ୍ର ସରକାରଙ୍କ ଯୋଜନା ପହଂଚାଇବାରେ କୌଣସି ବାଧା ନାହିଁ । ଏଥିରୁ ଜଣାପଡୁଛି ଯେ, ଓଡିଶା ଆସିବା ଆଗରୁ କୋଟିଆ ବାବଦରେ ଅବଗତ ଅଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । କିନ୍ତୁ ଏଜେଣ୍ଡାରେ ଏହି ପ୍ରସଙ୍ଗ ସ୍ଥାନ ପାଇଛି ନା ନାହିଁ ତାହା ଜଣାପଡିନାହିଁ । ଆଉ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏନେଇ ଜଗନ ମୋହନ ଆଲୋଚନା କରନ୍ତି ତାହାହେଲେ କଣ ରହିବ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ, ତା ଉପରେ ନଜର ରହିବ । ସେହିପରି କୋଟିଆ ମାମଲା ସୁପ୍ରିମକୋର୍ଟରେ ଥିବାବେଳେ ଓଡିଶା ସୀମାରେ ଆନ୍ଧ୍ରର ଅନାଧିକାର ପ୍ରବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ନଜର ରହିଛି ।
ଅନ୍ୟପଟେ ଲୋକସେବା ଭବନ କନଭେନସନ ସେଂଟରରେ ହେବାକୁ ଥିବା ବୈଠକରେ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି । ଏହି ବୈଠକରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ ପ୍ରସଙ୍ଗ ଉପରେ ଆଲୋଚନା ଆନ୍ଧ୍ରପ୍ରଦେଶର ଫୋକସରେ ରହିଛି । କାରଣ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି । କିନ୍ତୁ ଏହି ପ୍ରକଳ୍ପ ଦ୍ୱାରା ରାୟଗଡା ଓ ଗଜପତିରେ ବହୁ ଅଂଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । ତେଣୁ ଓଡିଶା ସରକାର ଟ୍ରିବ୍ୟୁନାଲଙ୍କ ରାୟ ଉପରେ କିଛିଟା ସ୍ପଷ୍ଟୀକରଣ ମାଗିଛନ୍ତି । ଯାହା ଫଳରେ ଟ୍ରିବ୍ୟୁନାଲଙ୍କ ରାୟ କାର୍ଯ୍ୟକରୀ ହୋଇପାରି ନାହିଁ । ଏ ବାବଦରେ ଓଡିଶା ସରକାରଙ୍କୁ ମନାଇବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିଛି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ସେହିପରି ପୋଲାଭରମ ମାମଲା କୋର୍ଟଙ୍କ ବିଚାରାଧୀନ ରହିଥିବାରୁ ଏହି ପ୍ରସଙ୍ଗରେ କିଛି ବୁଝାମଣା ହେବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ସେପଟେ କୋଟିଆକୁ ନେଇ ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ସଂପର୍କ ତିକ୍ତ ହେବାରେ ଲାଗିଛି । ତେଣୁ ବୈଠକରେ ସେନେଇ ଆଲୋଚନା ହେବ ନା ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏହି ପ୍ରସଙ୍ଗରେ ଆନ୍ଧ୍ର ସରକାର ସେତେଟା ଆଗ୍ରହୀ ନଥିବାବେଳେ ଓଡିଶା ସରକାର ଏହି ପ୍ରସଙ୍ଗ ଉଠାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ହୋଇଛି । ଲୋକସେବା ଭବନରେ ହୋଇଛି ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏକାଧିକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଦୁଇ ମୁଖ୍ୟ ଶସନ ସଚିବଙ୍କ ଆଲୋଚନା ହୋଇଛି ।
ଏବେ ନଜର ପକାନ୍ତୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଗସ୍ତ ସୂଚୀ ଉପରେ ।
- ଆଜି ଅପରାହ୍ଣ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ
- ସଂଧ୍ୟା ୫ଟାରେ ନବୀନ ନିବାସରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା
- ଏହାପରେ ସଂଧ୍ୟା ୫ଟା ୫୦ରେ ଦୁଇ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବୈଠକ କରିବେ
- ଲୋକସେବା ଭବନ କନଭେନସନ ସେଂଟରରେ ପ୍ରାୟ ୨ ଘଂଟା ଆଲୋଚନା କାର୍ଯ୍ୟକ୍ରମ
- ସଂଧ୍ୟା ୭ଟା ୧୫ରେ ଭୁବନେଶ୍ୱର ଛାଡିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ