କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଆଜିଠୁ ଚନ୍ଦ୍ରବାବୁଙ୍କ ରାଜୁତି ଆରମ୍ଭ ହୋଇଛି । ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ଏନ ଚନ୍ଦ୍ରବାବୁ ନାଇଡୁ । ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପି, ଟିଡିପି ଓ ଜନସେନାର ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ । ନାଇଡୁଙ୍କ ସମେତ ଟିଡିପିର ୨୧ଜଣ, ଜନସେନାର ଦୁଇଜଣ ଓ ବିଜେପିର ଜଣେ ମନ୍ତ୍ରୀ ଗୋପନୀୟତାରେ ଶପଥପାଠ କରିଛନ୍ତି ।ଏଥିସହ ଉପମୁଖମନ୍ତ୍ରୀ ଭାବେ ଜନସେନା ମୁଖ୍ୟ ପୱନ କଲ୍ୟାଣ ଓ ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେସ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ।
ଶପଥପାଠ ନେବା ପରେ ମଂଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଚନ୍ଦ୍ରବାବୁ । ସେପଟେ ମୋଦୀ ବାରମ୍ବାର ତାଙ୍କ ପିଠିକୁ ଥାପୁଡେଇଥିଲେ । ତେବେ କୁହାଯାଉଛି ବିଜେପି ମେଂଟ କରି ଟିଡିପିକୁ ପୁଣି ପୁର୍ନଜନ୍ମ ଦେଇଛି ।
-୨୦୧୮ରେ ଏନଡିଏ ମେଂଟରୁ ଦୂରେଇଥିଲା ଟିଡିପି
-୨୦୧୯ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ
-ପଦ ଯିବା ପରେ ଚନ୍ଦ୍ରବାବୁଙ୍କ ଉପରେ ଚଡ଼କ ପଡିଥିଲା
-ଦୁର୍ନୀତି ମାମଲାରେ ଗିରଫ ଓ ପରେ ମୁକୁଳିଥିଲେ
-୨୦୨୪ ପାଇଁ ମେଂଟ ପାଇଁ ବିଚାର
-ବିଜେପି, ଜନସେନା ସହ ଏକାଠି ଲଢ଼ିଲେ ଓ ଜିତିଲେ
ଚଳିତ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଛି ତେଲେଗୁ ଦେଶମ ପାର୍ଟି । ଉଭୟ ଲୋକସଭା ଓ ବିଧାନସଭାରେ ଆଶାନୁରୂପକ ପ୍ରଦର୍ଶନ କରି ପୁଣି ଥରେ ସରକାର ଗଠନ ପାଇଁ ଏକମାତ୍ର ଦାବିଦାର ବନିଥିଲା ।ବିଧାନସଭାର ୧୭୫ ଆସନରୁ ଟିଡିପି ୧୩୫ ଆସନ ହାତେଇବାରେ ସଫଳ ହୋଇଥିଲା ସେହିପରି ଲୋକସଭାରେ ୧୬ ଆସନ କରି କେନ୍ଦ୍ରରେ ମୋଦୀ ସରକାରଙ୍କ ପ୍ରମଖ ସହେଯାଗୀ ହୋଇପାରିଛି ।