କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ମାମଲା । ଟିଡିପି ବିଧାୟକଙ୍କ ଅଭିଯୋଗ କ୍ରମେ ଆନ୍ଧ୍ରପ୍ରଦେଶ ପୋଲିସ ଜଗନମୋହନ, ୨ ବରିଷ୍ଠ ଆଇପିଏସ୍ ଅଧିକାରୀ ଓ ୨ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ।

Advertisment

ଶାସକ ଦଳର ଉଣ୍ଡି ବିଧାୟକ କେ ରଘୁରାମ କୃଷ୍ଣ ରାଜୁ ଏହି ଅଭିଯୋଗ କରିଛନ୍ତି । ଜଗନ୍ ମୋହନ ରେଡ୍ଡୀଙ୍କ ବ୍ୟତୀତ ବରିଷ୍ଠ ଆଇପିଏସ୍ ଅଧିକାରୀ ପିଭି ସୁନୀଲ କୁମାର ଓ ପିଏସଆର୍ ସୀତାରାମଞ୍ଜାନେଇଲୁ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଆର ବିଜୟ ପାଲ ଏବଂ ଗୁଣ୍ଟୁର ସରକାରୀ ଜେନେରାଲ ହସ୍ପିଟାଲ ଅଧୀକ୍ଷକ ଜି ପ୍ରଭାବତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ ରାଜୁ ଏକ ମାସ ପୂର୍ବରୁ ମେଲ ମାଧ୍ୟମରେ ତାଙ୍କ ଅଭିଯୋଗ ପୋଲିସ ପାଖକୁ ପଠାଇଥିଲେ ଏବଂ ଆଇନଗତ ପରାମର୍ଶ ନେବା ପରେ ଗୁରୁବାର ଦିନ ସନ୍ଧ୍ୟା ୭ ଟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ପୋଲିସ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ଧାରା ୧୨୦ ବି, ୧୬୬,୧୬୭,୧୯୭,୩୦୭,୩୨୬,୪୬୫ ଏବଂ ୫୦୬ ଅନୁଯାୟୀ ଧାରା ୩୪ ରେ ଏକ ମାମଲା ରୁଜୁ କରିଛି । ଏହି ମାମଲା ୩ ବର୍ଷ ପୁରୁଣା ହୋଇଥିବାରୁ ପୋଲିସ ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଏକ ମାମଲା ରୁଜୁ କରିଛି । ଗୁଣ୍ଟୁରୁ ନାଗରମପାଲମ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଥିଲା ।

ଟିଡିପି ନେତା ରାଜୁଙ୍କ ଗିରଫ ମାମଲା ଆନ୍ଧ୍ରପ୍ରଦେଶରେ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସେ ରେଡ୍ଡୀ ଏବଂ କିଛି ଅଧିକାରୀଙ୍କ ବିରୋଧରେ ୧୧ ଜୁନରେ ଅଭିଯୋଗ କରିଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ୬୨ ବର୍ଷର ରାଜୁ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ବରିଷ୍ଠ ଆପିଏସ୍ ଅଧିକାରୀ ସୁନୀଲ କୁମାର ଏବଂ ସୀତାରାମଞ୍ଜାନେଇଲୁ ଓ ପୋଲିସ ଅଧିକାରୀ ବିଜୟ ପାଲ ଏବଂ ସରକାରୀ ଡାକ୍ତର ଜି ପ୍ରଭାବତି ଏହି ଷଡଯନ୍ତ୍ର୍ରର ଏକ ଅଂଶ ମଧ୍ୟ ଥିଲେ । ମେ ୨୦୨୧ କୋଭିଡ୍ ସମୟରେ ତାଙ୍କୁ ଗିରଫ କରାଯାଇଥିଲା ।

ରାଜୁ କହିଛନ୍ତି ଯେ, ତାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶର ସିବିସିଆଇଡି ମିଛ ମାମଲା ରୁଜୁ କରିଥିଲେ ଏବଂ ୧୪ ମେ ୨୦୨୧ ରେ କୌଣସି ଆଇନଗତ ପ୍ରକ୍ରିୟା ବିନା ଗିରଫ କରାଯାଇଥିଲା ।