ଓଡ଼ିଶା ସୀମାରେ ଜଗିଛି ଆନ୍ଧ୍ର: ୨୪ଘଂଟିଆ ପୋଲିସ କ୍ୟାମ୍ପ କରି ପହରା ଦେଉଛନ୍ତି ଆନ୍ଧ୍ର ପୋଲିସ 

109

କନକ ବ୍ୟୁରୋ: ଓଡିଶା ସୀମାରେ ଜଗିଛି ଆନ୍ଧ୍ରପ୍ରଦେଶ । ଓଡିଶାର ଗାଁ ମାଣିକପାଟଣାରେ ଏବେ ଆନ୍ଧ୍ର ସଶସ୍ତ୍ର ପୋଲିସ ଓ ପ୍ରଶାସନିକ ଅଧିକାରୀ ଜଗି ରହିଛନ୍ତି । ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ ପଂଚାୟତରେ ଆନ୍ଧ୍ର ମନ୍ତ୍ରୀ ଧମକ ଦେଇଯିବା ପରେ , ସେହି ଅଂଚଳରେ ଏବେ ୨୪ ଘଂଟିଆ ଆନ୍ଧ୍ର ପୋଲିସ କ୍ୟାମ୍ପ ଖୋଲି ପହରା ଦେଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

ଅନ୍ୟପଟେ ଆନ୍ଧ୍ର ପ୍ରଶାସନ ଦାଦାଗିରି ଦେଖାଉଥିଲେ ବି ଚୁପ୍ ବସିଛି ଓଡିଶା ପ୍ରଶାସନ । ଏସମ୍ପର୍କରେ ଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ହୋଇପାରି ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ ସରକାରଙ୍କ ଏପରି ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରୋଧୀ ବିଜେପି ଓ କଂଗ୍ରେସ ।

ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ମୁଖ୍ୟ ଶାସନ ସଚିବ, ମହେନ୍ଦ୍ରଗିରି ପରିଦର୍ଶନ କଲେ, ତାରାତାରିଣୀ ମନ୍ଦିର ବୁଲିଲେ, କିନ୍ତୁ ମହେନ୍ଦ୍ରଗିରି ଆରପଟେ ଥିବା ମାଣିକପାଟଣା ଗାଁକୁ ଗଲେ ନାହିଁ । ମୁଖ୍ୟମନ୍ତ୍ରୀ ଆଜି ଯାଏ ପ୍ରତିକ୍ରିୟା  ରଖିଲେ ନାହିଁ । ମୁଖ୍ୟମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନାହିଁ । ପୋଲିସ ଡିଜି ଆନ୍ଧ୍ର ଡିଜିଙ୍କ ସହ କଥା ହେଲେ ନାହିଁ । ଓଡିଶା ସରକାର ତୁରନ୍ତ ପଦକ୍ଷେପ ନିଅନ୍ତି । ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ସୀମା ବିବାଦର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।