ପଦାରେ ପଡିଲା ଆନ୍ଧ୍ର ପ୍ରଦେଶର ଭିତିରି କଥା । ଓଡିଶା ନେତାଙ୍କୁ ଭେଟିଲେ ଆନ୍ଧ୍ର ଜନତା । କହିଲେ, ଆମକୁ ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା ।

133

କନକ ବ୍ୟୁରୋ: ପୁଣି ଆନ୍ଧ୍ର ସୀମାନ୍ତ ବାସୀଙ୍କ ଉଠିଲା ସ୍ୱର, ଭତ୍ତା ବଦଳରେ ରାସ୍ତା ଦିଅ । ଆମ କଥା ଆନ୍ଧ୍ର ପ୍ରଶାସନ କି ଆନ୍ଦ୍ର ସରକାର ଶୁଣୁ ନାହିଁ । ଆମ ପାଇଁ ତୁମ ଅଚଂଳ ଭଳି ରାସ୍ତା କରିଦିଅ, ଆମେ ଓଡ଼ିଶାରେ ମିଶିବୁ । ଓଡ଼ିଶା ନେତାଙ୍କୁ କିଛି ଏଭଳି ଢଙ୍ଗରେ ଦ୍ୱିତୀୟ ଥର ପାଇଁ ଆନ୍ଧ୍ରର ୧୮ଟି ଗ୍ରାମର ଲୋକେ ଗୁହାରି କରିଛନ୍ତି ।

ଓଡିଶା-ଆନ୍ଧ୍ର ସୀମାରେ ବୈଠକ କରି ଓଡିଶା ଲୋକଙ୍କୁ ଆନ୍ଧ୍ର ଜନତା କହିଛନ୍ତି, ସେମାନଙ୍କୁ ଆନ୍ଧ୍ରର ଭତ୍ତା ନୁହେଁ, ଓଡିଶା ଭଳି ରାସ୍ତା ଦରକାର । କୋଟିଆକୁ ନେଇ ଦୋମୁହଁ ନୀତି ପୋଷଣ କରୁଥିବା ଆନ୍ଧ୍ରପ୍ରଦେଶର ଅସଲ ଚେହେରା ଏବେ ପଦାରେ ପଡିଛି । କୋଟିଆ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ଆନ୍ଧ୍ର ସରକାରଙ୍କୁ ଜବାବ ଦେଉଛନ୍ତି ଆନ୍ଧ୍ର ବାସିନ୍ଦା । ସୀମାନ୍ତବର୍ତୀ କୋଡ଼ମା ପଂଚାୟତର ୧୮ଟି ଗାଁର ଲୋକେ ଆନ୍ଧ୍ର ବିରୋଧରେ ଗର୍ଜିବା ସହ ଓଡ଼ିଶା ନେତାଙ୍କୁ ଡ଼ାକି ବୈଠକ କରିଛନ୍ତି ଆଉ ଓଡ଼ିଶା ଯୋଜନାକୁ ପ୍ରଶଂସା କରିଛନ୍ତି ।

କୋରାପୁଟ ନାରାୟଣପାଟଣା ବ୍ଳକ୍ ସୀମାନ୍ତ ତଳଗୁମାଣ୍ଡି ପଂଚାୟତକୁ ଲାଗି ରହିଛି ଆନ୍ଧ୍ର ସାଲୁର ମଣ୍ଡଳର କଡ଼ମା ପଂଚାୟତ । ଏଠାକାର ଲୋକଙ୍କୁ ଆନ୍ଧ୍ର ସରକାର ଭତ୍ତା ଓ ବିଭିନ୍ନ ଯୋଜନାର ଲୋଭ ଦେଖାଉଛନ୍ତି, କିନ୍ତୁ ଗାଁକୁ ଭଲ ରାସ୍ତାଟି ନାହିଁ । ତେଣୁ ଓଡ଼ିଶା ସରକାର କୋଟିଆରେ ଯେମିତି ରାସ୍ତା କରିଛନ୍ତି ସେହି ରାସ୍ତା ଯଦି ଆନ୍ଧ୍ର ସୀମାକୁ ଲାଗି ଯାଏ ତେବେ ସୀମାନ୍ତବର୍ତୀ ଆନ୍ଧ୍ର ଗ୍ରାମବାସୀ ଓଡିଶାରେ ମିଶିବେ ବୋଲି କହିଛନ୍ତି । କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କୋଟିଆ ସଂଗଠନର ଆବାହକ ଗଦାଧର ପରିଡ଼ାଙ୍କ ଭଳି ଓଡିଆ ନେତାଙ୍କୁ ଭେଟି ନିଜର ସମସ୍ୟା ଜଣାଇଛନ୍ତି ଆନ୍ଧ୍ର ଜନତା । ଆଉ ଏଥିରୁ ସ୍ପଷ୍ଟ ହୋଇଛି, ଆନ୍ଧ୍ର ପରକୁ ଆଶା କରି ନିଜ ଲୋକଙ୍କୁ ହତାଦର କରୁଛି ।