ଭୁବନେଶ୍ୱରରେ ଚାଲିଥିଲା ଓଡିଶା-ଆନ୍ଧ୍ର ଆଲୋଚନା: ସେପଟେ କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ 

118

କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଲିଥିଲା ଓଡିଶା-ଆନ୍ଧ୍ର ଆଲୋଚନା । ସେପଟେ କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ର ଅଧିକାରୀ । କୋଟିଆ ଧୂଳିପଦରରେ ଆନ୍ଧ୍ର ଅଧିକାରୀ କଲେ ଗ୍ରାମସଭା । ଲୋକଙ୍କୁ ସରକାରୀ ଯୋଜନା ଓ କାର୍ୟ୍ୟକ୍ରମ ସମ୍ପର୍କରେ ବୁଝାଇଲେ । ଆନ୍ଧ୍ରର ଏପରି ଦୋମୁହାଁ ନୀତିକୁ ତୀବ୍ର ବିରୋଧ । ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ପକ୍ଷରୁ କଡା ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ଦୃଢ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ।

ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଜାରି ହୋଇଛି ମିଳିତ ବିବୃତି । ନବୀନ ଓ ଜଗନଙ୍କ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ଜଳ ସମ୍ପଦ ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି । କିଭଳି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ କରାଯିବ ସେନେଇ ଆଲୋଚନା କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟ  ।

ବିଶେଷ କରି କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । କିଭଳି ଏହି ବିବାଦର ସମାଧାନ ହେବ ଦୁଇ ରାଜ୍ୟ ମିଳିତ ଭାବେ କାର୍ୟ୍ୟ କରିବାକୁ ନିଷ୍ପତି ନେଇଛନ୍ତି । ସେହିପରି ନେରେଡି ବ୍ୟାରେଜ,ଝଂଝାବତୀ ରିଜରଭୟର, ପୋଲାଭରମ, ବାହୁଦା ନଦୀରେ ପାଣି ଛାଡିବା ପ୍ରସଙ୍ଗରେ ଆଲୋଚନା ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ, ଆନ୍ଧ୍ର ଓ ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ନଜରରେ ରଖି, ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତି ହୋଇଛି ।

ବାଲିମେଳା ଓ ଅପର ସିଲେରୁରେ ଶକ୍ତି ସମ୍ପଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବୁଝମଣା ହୋଇଛି । ଏଥିସହ ଦୁଇ ରାଜ୍ୟ ନକ୍ସଲ ବାଦ ଓ ଗଞ୍ଜେଇ ଚାଷକୁ ରୋକିବା ପାଇଁ ମିଳିତ ଭାବେ କାର୍ୟ୍ୟ କରିବାକୁ ପରସ୍ପର ପରସ୍ପରକୁ ସହଯୋଗ କରିବାକୁ ରାଜି ଏକମତ ହୋଇଛନ୍ତି । ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଶ୍ରୀକାକୁଲମ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡିଆ ଓ ତେଲୁଗୁ ଭାଷାର ଚେୟାର ପ୍ରତିଷ୍ଠା ପାଇଁ କାର୍ୟ୍ୟ କରିବାକୁ ସହମତ ହୋଇଛନ୍ତି ।