କନକ ବ୍ୟୁରୋ: ମହେନ୍ଦ୍ର-ତନୟା ନଦୀରେ କାହା ପ୍ରକଳ୍ପ ଆଗ ସରିବ । କିଏ ଆଗ ସାରିବ ମହେନ୍ଦ୍ରତନୟା ଡ୍ୟାମ ନିର୍ମାଣ କାମ । ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଚମ୍ପାପୁର ଓ ଡମ୍ବାପୁର ନିକଟରେ ମହେନ୍ଦ୍ରତନୟା ଉପର ମୁଣ୍ଡରେ ଓଡିଶା ସରକାରଙ୍କ ପକ୍ଷରୁ ଡ୍ୟାମ ନିର୍ମାଣ କରାଯାଉଛି । ଏହି ନିର୍ମାଣ କାମ ଅଧାଅଧି ହୋଇଛି । ସେପଟେ ଓଡିଶା ସୀମାନ୍ତ ରେଗୁଲୁପାଡୁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏକ ଡ୍ୟାମ କରାଯାଉଛି । ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ. ରାଜଶେଖର ରେଡ୍ଡି ଡ୍ୟାମର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସେତେବେଳେ ମହେନ୍ଦ୍ରତନୟା ଡ୍ୟାମ ଡ୍ୟାମକୁ ଗଜପତି ଜିଲ୍ଲାବାସୀ ବିରୋଧ କରିଥିଲେ । ଦୁଇ ରାଜ୍ୟ ମଧ୍ୟରେ ବିବାଦ ୪-୫ ବର୍ଷ ଚାଲିଲା । ରାଷ୍ଟ୍ରୀୟ ଜଳ ବିବାଦ ଟ୍ରିବ୍ୟୁନାଲରେ ଏହି ବିବାଦ ସମାଧାନ ହେବା ପରେ ଏବେ ଉଭୟ ରାଜ୍ୟ ପକ୍ଷରୁ ଡ୍ୟାମ ନିର୍ମାଣ କାମ ଚାଲିଛି ।

Advertisment

ଓଡିଶା କାମ ଅଧା ହୋଇଥିବା ବେଳେ ଆନ୍ଧ୍ର ଡ୍ୟାମ କାମ ଖୁବ୍ ଶୀଘ୍ର ସରିବ ବୋଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନମୋହନ ରେଡି କହିଛନ୍ତି । ଏହାସହ ଏହି ଡ୍ୟାମ ପାଇଁ ସେ ଆଉ ୩ଶହ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ପୂର୍ବରୁ ୧୨ଶହ କୋଟି ଟଙ୍କାର ପ୍ରକଳ୍ପ କରାଯାଇଥିଲା । ଏବେ ଏହି ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାର ୧୫ ଶହ କୋଟି ଟଙ୍କାର ଅନୁଦାନ କରିଛନ୍ତି । ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବାସୀଙ୍କ ପାଇଁ ସତର୍କ ଘଂଟି ଭଳି ହୋଇଛି । ଓଡିଶା ନଦୀରୁ ପାଣି ନେବା ପାଇଁ ଆନ୍ଧ୍ର ସରକାର ଯେତିକି ତତ୍ପର, ଓଡିଶା ସରକାର ସେତିକି ତତ୍ପର ନୁହେଁ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଓଡିଶା ଆଗରୁ ଆନ୍ଧ୍ର ଡ୍ୟାମ ନିର୍ମାଣ କଲେ ଗଜପତି ଜିଲ୍ଲାର ରୟଗଡା, ଗୋଷାଣୀ ବ୍ଲକ ସମେତ ପାରଳାଖେମୁଣ୍ଡିରେ ଜଳ ସମସ୍ୟା ଦେଖାଦେବ । ଚାଷ ପାଇଁ ଚାଷୀ ପାଣି ପାଇବେ ନାହିଁ ବୋଲି କୃଷକ ନେତା କହିଛନ୍ତି । ସେପଟେ ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଆନ୍ଧ୍ର ପ୍ରୋଜେକ୍ଟ ସରିବା ଆଗରୁ ଓଡିଶା ପ୍ରୋଜେକ୍ଟ ସରିବ ।