କୋଟିଆରେ ମାତ୍ ଖାଇଲା ଆନ୍ଧ୍ର । ଅଧିକ ଦରରେ କୋଟିଆ ତେନ୍ତୁଳି କିଣିଲା କୋରାପୁଟ ପ୍ରଶାସନ, ଖାଲି ହାତରେ ଫେରିଗଲେ ଆନ୍ଧ୍ର ବେପାରୀ । ୨୫ ବଦଳରେ ୩୬ଟଙ୍କାରେ ଓଡିଶା ସରକାରଙ୍କୁ ତେନ୍ତୁଳି ବିକିଲେ କୋଟିଆବାସୀ ।

189

କନକ ବ୍ୟୁରୋ : ଓଡ଼ିଶାର ଯୋଜନା ପାଖରେ ହାର ମାନିଲା ଆନ୍ଧ୍ର । କୋଟିଆରୁ ନିରାଶ ହୋଇ ଫେରିଲା ଆନ୍ଧ୍ର ଗାଡ଼ି । ପ୍ରଥମ ଥର ପାଇଁ ଓଡ଼ିଶା କିଣିଲା କୋଟିଆ ତେନ୍ତୁଳି । ମିଶନ କୋଟିଆ ପାଇଁ କୋରାପୁଟ ଜିଲ୍ଳା ପ୍ରଶାସନର ଆଗୁଆ ରଣନୀତି ସଫଳ ହୋଇଛି । ବିକାଶ ପରେ ଏବେ କୋଟିଆରେ ଜୀବନ ଜୀବିକା ଉପରେ ରାଜ୍ୟ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ ।

ତେନ୍ତୁଳି । ତେନ୍ତୁଳିକୁ ଅନେକ କ୍ଷେତ୍ରରେ ବ୍ୟବହାର କରାଯାଏ । କିଏ ଏହାକୁ ଆଚାର କରି ଖାଇଥାନ୍ତି, ଆଉ କିଏ ଚାରୁପାଣି । ଆନ୍ଧ୍ରପ୍ରଦେଶରେ ତ ତେନ୍ତୁଳିର ବହୁଳ ବ୍ୟବହାର ହୋଇଥାଏ । ଆଉ ଏବେ ଚର୍ଚ୍ଚାକୁ ଆସିଛି କୋରାପୁଟର କୋଟିଆ ତେନ୍ତୁଳି । କୋଟିଆ ବାସିନ୍ଦା ତେନ୍ତୁଳି, ଫୁଲଝାଡୁ ଓ ହଳଦୀ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଆଉ ଆନ୍ଧ୍ରପ୍ରଦେଶ ପ୍ରଶାସନ ଓଡିଶାର କୋଟିଆକୁ ନିଜର କହି ଖୁବ୍ କମ୍ ଦରରେ ଏସବୁ ସାମଗ୍ରୀକୁ କିଣି ନେଉଥିଲା । ହେଲେ ଆଉ ନୁହେଁ, ଏଣିକି କୋଟିଆ ସାମଗ୍ରୀ କିଣୁଛି କୋରାପୁଟ ପ୍ରଶାସନ ।

ଆନ୍ଧ୍ର କୋଟିଆ ତେନ୍ତୁଳିକୁ କିଲୋ ପିଛା ୨୫ ଟଙ୍କା ଦରରେ କିଣୁଥିବା ବେଳେ ଓଡ଼ିଶା ସରକାର ୩୬ ଟଙ୍କା ଦରରେ କିଣିବା ଆରମ୍ଭ କରିଛନ୍ତି । ଅଧିକ ଦୁଇ ପଇସା ପାଇ କୋଟିଆ ବାସିନ୍ଦା ଆନ୍ଧ୍ର ବଦଳରେ ଓଡିଶାରେ ତେନ୍ତୁଳି ବିକ୍ରି କରୁଛନ୍ତି । ସବୁ ବେଳେ କୋଟିଆ ବାସୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଶସ୍ତାରେ ତେନ୍ତୁଳି କିଣି ନେଇ ଅଧିକ ଦରରେ ଆନ୍ଧ୍ର ବଜାରରେ ବିକ୍ରି କରି ମାଲାମାଲ ହେଉଥିଲେ ଆନ୍ଧ୍ର ବେପାରୀ । ହେଲେ ଏବେ ଆଉ ଆନ୍ଧ୍ରର ସେ ଜାଲିଆତି ଚଳିବ ନାହିଁ ।

ଆନ୍ଧ୍ର ବେପାରୀଙ୍କୁ ପାନେ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ତେନ୍ତୁଳି ବ୍ୟବସାୟ ପାଇଁ ରାଜ୍ୟ ସରକାର ଓରମାସ ଓ କାପକୋକୁ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ କୋଟିଆ ଝାଡ଼ୁ ଆମାଜନରେ ବିକ୍ରି ପାଇଁ ବାଟ ଖୋଲିଥିବା ବେଳେ ଏବେ ତେନ୍ତୁଳିକୁ ଆନ୍ଧ୍ର ହାତରୁ ଛଡ଼ାଇ ଆଣିଛି ଓଡିଶା । ଏଯାଏଁ ୨୫ ମେଟ୍ରିକ ଟନ୍ ତେନ୍ତୁଳି କିଣା ହୋଇଛି । ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ।