କନକ ବ୍ୟୁରୋ: ଗାଁକୁ ଯିବାକୁ ରାସ୍ତାଟିଏ ନାହିଁ । ଯେଉଁ ମାଟି ରାସ୍ତା ଅଛି, ସେଠି ଦୁଇ ଚକିଆ କି ଚାରି ଚକିଆ ଯାନ ଯିବା କଥା ଦୂରରେ ଥାଉ, ପାଦରେ ଚାଲି ଚାଲି ଯିବା ବି ମୁସ୍କିଲ । ଏହି କାଦୁଅ ରାସ୍ତା ଡେଇଁ ରାୟଗଡା ସଦର ବ୍ଳକ ଆନ୍ଧ୍ର-ଓଡିଶା ସୀମାନ୍ତ ବୋରହାଲୁଆ ଗାଁରେ ପହଞ୍ଚିବା ପରେ ଆମେ ଯାହା ଜାଣିବାକୁ ପାଇଲୁ ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ମୌଳିକ ସବୁଧା ପାଇଁ ସଂଘର୍ଷ କରୁଥିବା ଗ୍ରାମବାସୀ ଭଲ ଭାବରେ ଓଡିଆ କହିପାରୁନାହାନ୍ତି କି ବୁଝି ମଧ୍ୟ ପାରୁନାହାନ୍ତି । ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ବାରମ୍ବାର ପ୍ରତାରିତ ହେବା ପରେ ଏବେ ଆନ୍ଧ୍ର ଆଡକୁ ଢଳୁଛନ୍ତି ସୀମାନ୍ତ ଗ୍ରାମବାସୀ ।

Advertisment

ବୋରହାଲୁଆ ଗାଁକୁ ଲାଗି ରହିଥିବା ପାହାଡ ଆରପାଟେ ରହିଛି ଆନ୍ଧ୍ର ପ୍ରଦେଶର ଉର୍ଟି ଗାଁ । ଆନ୍ଧ୍ର ଗାଁରେ ସବୁ ସରକାରୀ ସୁବିଧା ମିଳୁଥିବା ବେଳେ ଓଡିଶା ଗାଁର ଲୋକ ପିଇବା ପାଇଁ ନାଗାବଳୀ ନଦୀର ଉପରେ ନିର୍ଭର କରିଛନ୍ତି । ହାଟ ବଜାର ପାଇଁ ଆନ୍ଧ୍ରର କୁନେରୁ ଓ କୋମରଡା ଉପରେ ନିର୍ଭର କରିବାକୁ ପଡେ । ତେବେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ସମସ୍ୟାର ସମାଧାନ ନହେଲେ ବୋରହାଲୁଆ ଗାଁର ୩୨ଟି ପରିବାର ଆନ୍ଧ୍ର ସହିତ ମିଶିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି ।