ଓଡିଶା ଖଣି ଉପରେ ଆନ୍ଧ୍ରର ଆଖି? ସୀମାର ତିନୋଟି ଗାଁରେ ନିର୍ବାଚନ କରିବାକୁ ଜାରି କରିଛି ବିଜ୍ଞପ୍ତି

87

କନକ ବ୍ୟୁରୋ: ଓଡିଶା ସୀମାର ତିନୋଟି ଗାଁରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛି ଆନ୍ଧ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ଆଉ ସେହି ବିଜ୍ଞପ୍ତରେ ଲେଖାଯାଇଛି ଆସନ୍ତା ୧୩ ଓ ୧୭ ତାରିଖରେ ସେଠାରେ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ସ୍ଥାନୀୟ ଲୋକେ କୁହନ୍ତି, ସେମାନେ ଓଡିଶାରେ ବି ଭୋଟ ଦିଅନ୍ତି ଏବଂ ଆନ୍ଧ୍ରରେ ବି ଭୋଟ ଦିଅନ୍ତି । କିନ୍ତୁ ଆନ୍ଧ୍ର କୁଆଡେ ଅଧିକ ସୁବିଧା ଦେଉଛି ବୋଲି ଗଣମାଧ୍ୟମ ଆଗରେ କହୁଛନ୍ତି ସ୍ଥାନୀୟ ବାସିନ୍ଦା । ସେମାନେ ଯେତେ ସହଜରେ ଏସବୁ କଥା କହୁଛନ୍ତି, ଆନ୍ଧ୍ର ଓ ଓଡିଶା ଭିତରେ ଏହି ମାମଲା କିନ୍ତୁ ସେତେ ସହଜ ନୁହେଁ ।

କାହିଁକି ଓଡିଶାର ଗାଁ ଉପରେ ଆନ୍ଧ୍ରର ନଜର ?
କାହିଁକି ଓଡିଶାର ଗାଁକୁ କବଜା କରିବାକୁ ଚାହୁଁଛି ଆନ୍ଧ୍ର ?
ଓଡିଶାର ଗାଁକୁ କବଜା କଲେ ଆନ୍ଧ୍ରକୁ ମିଳିବ କ’ଣ ?

ଓଡିଶାର ଏହି ଗାଁ ଗୁଡିକ ଉପରେ ଆନ୍ଧ୍ର ଆଖି ପକେଇବାର କାରଣ ଯଦି ଏହି ମାଟି ତଳର ଖଣିଜ ପଦାର୍ଥ ହୋଇଥାଏ, ତେବେ ଏହା ଏକ ସାଂଘାତିକ ବିଷୟ । କିନ୍ତୁ ଏନେଇ ଯେତେବେଳେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ସେ ଏହି ମାମଲାକୁ ସେତେ ଗମ୍ଭୀରତାର ସହ ନେଉନଥିବା ପରି ମନେ ହେଉଥିଲା ।

ଏପଟେ କୋଟିଆ ଅଂଚଳର ବିକାଶ ପାଇଁ ଚାଲିଛି ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା । ରାସ୍ତାଘାଟ ଠାରୁ ଆରମ୍ଭ କରି ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ, କ୍ଲୋଷ୍ଟେର ସହ ପ୍ରାୟ ୧୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାମ ଚାଲୁଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ବହୁ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।