ଜଗନ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ପଦ ପାଇବା ପରେ… ଦଳ ବଳ ଧରି ଆସିଥିଲେ କୋଟିଆ, ଅଧା ବାଟରୁ ଫେରାଇଦେଲେ କୋଟିଆବାସୀ

228

କନକ ବ୍ୟୁରୋ: ସାଲୁର ବିଧାୟକ ପି.ରାଜନ ଦୋରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିବା ପରେ ଓଡ଼ିଶାର କୋଟିଆ ଅଂଚଳରେ ବିଜୟ ଉତ୍ସବ ପାଇଁ ଯୋଜନା ଚାଲିଥିଲା । ଆନ୍ଧ୍ରର ଅଧିକାରୀ ଓ ନିଜେ ସାଲୁର ବିଧାୟକ ମଧ୍ୟ ପହଂଚିଥିଲେ କୋଟିଆରେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ମଧ୍ୟ ଲଗାଇଥିଲେ ।

ସୂଚନା ଅନୁସାରେ ମିଛ ପ୍ରତିଶୃତି ଦେଇ କାମ ହାସଲ କରିଥିବା ଅଭିଯୋଗ କରି ତାଙ୍କୁ ବିରୋଧ କରିବା ସହ ଅଧାବାଟରୁ ଫେରାଇ ଦେଇଛନ୍ତି କୋଟିଆବାସି । ଅନେକ ସମୟରେ ସାଲୁର ବିଧାୟକ ରାଜନ ଦୋରା ବାରମ୍ବାର କୋଟିଆକୁ ଅନୁପ୍ରବେଶ କରିବା ସହ ଆନ୍ଧ୍ରର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରୁଥିଲେ । ଏପରିକି ଆନ୍ଧ୍ର ପ୍ରଦେଶ ସାଲୁର ମଣ୍ଡଳମର ୱାଟର ସେଡ଼ ବିଭାଗ ପକ୍ଷରୁ କୋଟିଆର ବିଭିନ୍ନ ଅଚଂଳରେ ବନ୍ଧ ଖୋଳିବା ପାଇଁ ୱାର୍କ ଅର୍ଡ଼ର ଦିଆଯାଇଥିଲା । ସ୍ଥାନୀୟ ବାସିନ୍ଦା ନିଜ ହାତରୁ ପଇସା ଖର୍ଚ୍ଚ କରି କାମ ଆରମ୍ଭ କରିଥିଲେ, କିନ୍ତୁ ଆନ୍ଧ୍ର ଅଧିକାରୀ ସେମାନଙ୍କୁ ଏବାବଦରେ କୌଣସି ଅର୍ଥ ଦେଇନଥିବା ଅଭିଯୋଗ ହୋଇଛି ।

ଏକ ଗୁରୁତ୍ୱପୁଣ୍ଣ ଘଟଣାକ୍ରମରେ କୋଟିଆର ନବନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ଟିକାଇ ଗେମେଲ ଏହି ବିରୋଧର ନେତୃତ୍ୱ ନେଇଥିଲେ । ଏବଂ ଆନ୍ଧ୍ର ଅଧିକାରୀଙ୍କୁ ଫେରାଇଦେବାରେ ସକ୍ଷମ ହୋଇଥିଲେ । ଆନ୍ଧ୍ର ଅଧିକାରୀ ଓ ନେତାଙ୍କୁ କୋଟିଆବାସୀ ଏମିତି ଅପଦସ୍ତ କରି ଫେରାଇଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।