ବଣ୍ଡା ଯୁବକର ଶବ ଛାଡୁନି ଆନ୍ଧ୍ର ମେଡିକାଲ : ୩ ଦିନ ଧରି ବିଶାଖାପାଟଣା କିଂଗ ଜର୍ଜ ହସ୍ପିଟାଲରେ ଅଟକ ରହିଛି ଶବ; ଚିନ୍ତାରେ ବଣ୍ଡା ଘାଟିର ଲୋକେ 

ଦୁର୍ଘଟଣା ପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖରୁ ହେଲାଣି ମୃତ୍ୟୁ 

180

କନକ ବ୍ୟୁରୋ : ବଣ୍ଡା ଯୁବକଙ୍କ ଶବ ଛାଡୁନି ଆନ୍ଧ୍ର ମେଡିକାଲ । ୩ ଦିନ ଧରି ବିଶାଖାପାଟଣା କିଂଗ ଜର୍ଜ ହସ୍ପିଟାଲରେ ଅଟକି ରହିଛି ମାଲକାନଗିରି ବଣ୍ଡାଘାଟି ସ୍ଥିତ ଅଣ୍ଡ୍ରାହାଲ ଗାଁର ୨୮ ବର୍ଷିୟ ଯୁବକ ରାଜୁ ବଡନାୟକଙ୍କ ମୃତ ଦେହ । ଗତ ୨୨ ତାରିଖ ଦିନ ଅନଗେଲ ଗାଁ ନିକଟରେ ମୋଟରସାଇକେଲ ଦୁର୍ଘଟଣାର ଶିକାର ହୋଇଥିଲେ ରାଜୁ । ପ୍ରଥମେ ଲମତାପୁଟ ଡାକ୍ତରଖାନାରେ ରାଜୁକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅଧିକ ଚିକତ୍ସା ପାଇଁ ୨୩ ତାରିଖ ଦିନ ତାଙ୍କୁ ବିଶାଖାପଟଣା କେଜିଏଚ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ ଥିଲା ।

ସେଠାରେ ୨୮ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ରାଜୁର ମୃତ୍ୟୁ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ପରିବାର ଲୋକଙ୍କୁ ରାଜୁଙ୍କ ଶବ ହସ୍ତାନ୍ତର କରୁନାହାଁନ୍ତି ମେଡିକାଲ କର୍ତ୍ତୃପକ୍ଷ । ଓଡିଶା ପୁଲିସ ଆସିଲେ ଶବ ହସ୍ତାନ୍ତର କରାଯିବ ବୋଲି ଅଜବ ଯୁକ୍ତି ବାଢିଛନ୍ତି କେଜିଏଚ କର୍ତ୍ତୃପକ୍ଷ । ଆଉ ମାଲକାନଗିରି ମୁଣ୍ଡିଗୁଡା ପୁଲିସକୁ ଖବର ଦେଇ ନିଜ ଭେଣ୍ଡିଆ ପୁଅର ଶବକୁ ଚାହିଁ ବସିଛନ୍ତି ରାଜୁଙ୍କ ପରିବାର ଲୋକେ ।