ଭୁତାଣୁ ବ୍ୟାପିବା ଭ୍ରମରେ ଆତ୍ମହତ୍ୟା ! ମୁତ୍ରାଶୟ ଇନଫେକସନ୍ କୁ ଭୁଲ୍ ରେ କରୋନା ଭୁତାଣୁ ଭାବି ଆତ୍ମହତ୍ୟା କଲେ ଭାରତୀୟ  ।

1,685

କରୋନା ଭାଇରସ୍ ର ଭୟ ଏବେ ଲୋକଙ୍କ ମନରେ ଏଭଳି ଭାବେ ଘର କରିସାରିଲାଣି ଯେ ଏହାର କିଛି ଲକ୍ଷଣ ଦେଖାଯିବା କ୍ଷଣି ହିଁ ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଭାଇରସ୍ ବ୍ୟାପିବା ଭୟରେ ଆତ୍ମହତ୍ୟା କରୁଛନ୍ତି ଲୋକେ । ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଏଭଳି ଏକ ଖବର ଆସିଛି । ଯେଉଁଥିରେ ବ୍ୟକ୍ତିଜଣକ ନିଜ ଭିତରେ କରୋନା ଭାଇରସ୍ ଥିବା ଆଶଙ୍କା କରି ଅନ୍ୟମାନଙ୍କୁ ଯେଭଳି ଭୁତାଣୁ ନ ବ୍ୟାପୁ ସେଥିପାଇଁ ଆତ୍ମହତ୍ୟା କରିଛନ୍ତି । ୫୪ ବର୍ଷୀୟ ବାଲାକୃଷ୍ଣେୟା ଶନିବାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ୍ ଯାଇଥିଲେ । ସେଠାରେ ତାଙ୍କ ମୁତ୍ରାଶୟରେ ଇନଫେକସନ୍ ଥିବା କଥା ଜଣାପଡିଥିଲା । କିନ୍ତୁ ଡାକ୍ତରଙ୍କ ସହ କଥାବାର୍ତ୍ତା ଭିତରେ ଭୁଲବଶତଃ ତାଙ୍କୁ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ଲାଗିଲା ।  ତାଙ୍କ ପୁଅ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ତାଙ୍କୁ କରୋନା ଭୁତାଣୁ ଆକ୍ରାନ୍ତ କରିନାହିଁ । କିନ୍ତୁ ସେ ବାହାରେ ଶାନ୍ତ ଥିଲେ ବି କରୋନା ଭାଇରସ୍ ର ଭୟ ତାଙ୍କ ମୁଣ୍ଡରେ ପଶିଯାଇଥିଲା । ଖୁବ୍ କମ୍ ପାଠ ପଢିଥିବା ବାଲାକୃଷ୍ଣେୟା ଶନିବାର ଅଜବ ବ୍ୟବହାର କରିଥିଲେ ।

ସୋମବାର ସକାଳୁ ସେ ଆତ୍ମହତ୍ୟା କରିଥିଲେ । ବାଲାକୃଷ୍ଣେୟାଙ୍କ ପତ୍ନୀଙ୍କ କହିବାନୁସାରେ , ଡାକ୍ତର ତାଙ୍କୁ ମୁତ୍ରାଶୟରେ ଇନଫେକସନ୍ ଥିବା କଥା କହି ମାସ୍କ ପିନ୍ଧିବା ପାଇଁ କହିଥିଲେ । କିନ୍ତୁ ଭୁଲବଶତଃ ତାଙ୍କୁ କରୋନା ଭୁତାଣୁ ବ୍ୟାପିଥିବାର ଲାଗିଲା । ପରିବାର ଏବଂ ଗାଁ ଲୋକଙ୍କୁ ଯେଭଳି ଏହି ଭୁତାଣୁ ନ ବ୍ୟାପୁ ସେଥିପାଇଁ ସେ ଆତ୍ମହତ୍ୟା କଲେ । କରୋନା ଭାଇରସ୍ ରେ ବର୍ତ୍ତମାନ ୧୧୧୨ ଲୋକ ଆରପାରିକୁ ଚାଲିଗଲେଣି । ୪୪,୮୩୩ ଲୋକ ଏବେ ଭୁତାଣୁ ଆକ୍ରାନ୍ତରେ କବଳିତ ।