କୋଟିଆକୁ ଛଡ଼ାଇ ନେବାକୁ ଆନ୍ଧ୍ରର ଜୋରଦାର କସରତ। ଏପଟେ ବେଫିକର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

187

କନକ ବ୍ୟୁରୋ: ପଶୁଛି ପଡ଼ିଶା, ଶୋଇଛି ଓଡ଼ିଶା ! ଅଜଣା ଚାଉଳ ଭାତ ଖାଉଛନ୍ତି କି ରାଜସ୍ୱ ମନ୍ତ୍ରୀ?କୋଟିଆକୁ ନେଇ ମନ୍ତ୍ରୀଙ୍କ ଖାମଖିଆଲି ମନ୍ତବ୍ୟ । ଯେଉଁ ଖବର ନିୟମିତ ବ୍ୟବଧାନରେ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶ ପାଉଛି, ଯେଉଁ ଖବର ପ୍ରତିଟି ଓଡ଼ିଆକୁ ଆଘାତ ପରେ ଆଘାତ ଦେଇଚାଲିଛି, ସେହି ଖବର କେମିତି ଜିଲ୍ଳା ପ୍ରଶାସନ ପାଖରେ ପହଞ୍ଚିପାରୁନି କିମ୍ବା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇନି ତାକୁ ନେଇ ସନ୍ଦେହ ଉଠୁଛି ।
କୋଟିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀ । ଲୋକଙ୍କୁ ଆକର୍ଷିତ କରିବା ପାଇଁ ଗିରିଜନ କାର୍ଡ ବାଂଟୁଛି । ଉପ-ମୁଖ୍ୟମନ୍ତ୍ରୀ ଆସି କୋଟିଆରେ ଜନସଭା କରୁଛନ୍ତି । ଓଡ଼ିଶା ସରକାରଙ୍କ ପାଖରେ ଖବର ପହଂଚିପାରୁନି କେମିତି?

ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏଭଳି ଏକ ଉତ୍ତର ରଖିଛନ୍ତି ଯାହା କୋଟିଆକୁ ନେଇ ରାଜ୍ୟ ସରକାର କେତେ ଗମ୍ଭୀର ହୁଏତ ତାହା ପଦାରେ ପଡ଼ିଯାଇଛି । ଆଜି ବିଧାନସଭାରେ ବିଜେପି ସଦସ୍ୟ କୁସୁମ ଟେଟେ, ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ-

ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ ୨୦୨୧ ମସିହାରେ କେତେ ଥର କୋଟିଆରେ ଅନୁପ୍ରବେଶ କରିବା ସହିତ ଏଠାରେ ଭତ୍ତା ଓ ରାସନ ଆଦି ବଂଟନ କରିଛନ୍ତି? ଆନ୍ଧ୍ରର ଅଧିକାରୀମାନେ କୋଟିଆରେ ରାସ୍ତା ନିର୍ମାଣ କରୁଥିବା ସରକାରଙ୍କ ନଜରକୁ ଆସିଛି କି? ଯଦି ହଁ ତେବେ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ଏହି ପ୍ରଶ୍ନର ଉତ୍ତର କେମିତି ରଖିଥିଲେ ନଜର ପକାନ୍ତୁ । ରାଜସ୍ୱ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଥିଲେ-
ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅଧିକାରୀମାନେ ୨୦୨୧ ମସିହାରେ କୋଟିଆ ଗ୍ରାମପଞ୍ଚାୟତରେ ଅନୁପ୍ରବେଶ କରିବା ସହିତ ଏଠାରେ ରାସନ କିମ୍ବା ଭତ୍ତାବଣ୍ଟନ କରିବାର ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଉପଲବ୍ଧ ନାହିଁ । କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ହୋଇନାହିଁ । କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ହୋଇନାହିଁ । ସେଭଳି କିଛି କାର୍ଯ୍ୟକଳାପ ଦୃଷ୍ଟି ଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ତେବେ ମନ୍ତ୍ରୀଙ୍କ ଏଭଳି ବୟାନକୁ କିନ୍ତୁ ଗ୍ରହଣ କରିପାରି ନାହାଁନ୍ତି କୋଟିଆ ବାସିନ୍ଦା । ବିଭିନ୍ନ ସମୟରେ ଆନ୍ଧ୍ରର ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ଆସି ଉନ୍ନୟନମୂଳକ କାମ କରୁଛନ୍ତି । ରାଜ୍ୟ ସରକାର କେମିତି ଜାଣିପାରୁ ନାହାଁନ୍ତି ବୋଲି କହିଛନ୍ତି । ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ହୁଏତ ପ୍ରମାଣିତ କରିଦେଉଛି କୋଟିଆ ପ୍ରସଙ୍ଗକୁ ନେଇ ସରକାର କେତେ ଗମ୍ଭୀର ।