କନକ ବ୍ୟୁରୋ: କୋଟିଆ ପଞ୍ଚାୟତକୁ ଦଖଲ କରିବାକୁ ଆନ୍ଧ୍ରର ଆଉ ଏକ ଚାଲ୍ । କୋଟିଆବାସୀଙ୍କୁ ଆକର୍ଷିତ କରିବାକୁ ଆନ୍ଧ୍ର ଖେଳିଛି ‘ଗିରିଜନ କାର୍ଡ’ । ରାସନ କାର୍ଡ ପାଇଥିବା ହିତାଧିକାରୀଙ୍କୁ ସୁଲଭ ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଏହି ଚାଲ୍ ଖେଳିଛି ଆନ୍ଧ୍ର । ନୂଆ ଆଉଟଲେଟ୍ ଖୋଲି ଗିରିଜନ ସମିତି ଦ୍ୱାରା ରାସନ ବିତରଣ କରୁଛି ଆନ୍ଧ୍ର । ଆନ୍ଧ୍ର ପ୍ରଦେଶ ଷ୍ଟେଟ୍ ସିଭିଲ୍ ସର୍ଭିସ୍ କର୍ପୋରେସନ୍ ଦ୍ୱାରା ସରକାରୀ ଖୁଚୁରା ଦୋକାନରେ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ ଦିଆଯାଉଛି । ତା’ପୁଣି ଆଇରନ୍, ଫଲିକ ଏସିଡ ସହ ଭିଟାମିନ୍-ବି ୧୨ ଭଳି ଉପାଦାନ ।
ଏହାଛଡ଼ା ପିଡିଏସ୍ ସାମଗ୍ରୀ ସହ ଗ୍ରୀନ୍ ମଟର, ବ୍ରାଣ୍ଡେଡ୍ ସାବୁନ, ସିକାକାଇ ସାମ୍ପୁ, ପାମୋଲିନ୍ ଅଏଲ, ଦିଆସିଲି, ହଳଦୀଗୁଣ୍ଡ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ସୁଲଭ ଦରରେ ଯୋଗାଇ ଦିଆଯାଉଛି । ବିଜୟନଗର ଜିଲ୍ଲାରୁ ଏହି ସାମଗ୍ରୀ ମାନ୍ୟମ ଜିଲ୍ଲାର ଏହି ଅଞ୍ଚଳକୁ ଆସିବା ପରେ ତାହାକୁ କୋଟିଆ ଅଞ୍ଚଳରେ ବିକ୍ରି କରାଯାଉଛି । ପ୍ରତିମାସର ନିର୍ଦ୍ଧାରିତ ତାରିଖରେ ତିନିଦିନ କୋଟିଆ ପଞ୍ଚାୟତର ନାରେଡିବାଲାସା ଠରେ ଖୋଲିଥିବା ନୂଆ ଆଉଟଲେଟରେ ପ୍ରଦାନ କରାଯାଉଛି । ଆଉ ଏହାର ସିଧାସଳଖ ଫାଇଦା କୋଟିଆ ଗ୍ରାମପୁଞ୍ଜର ୧୩ଟି ଗାଁରେ ରହୁଥିବା ଆନ୍ଧ୍ରର ହିତାଧିକାରୀ ପାଉଛନ୍ତି ।
ତେବେ ଏହି ଆଉଟଲେଟର ଅତି ନିକଟରେ ରହିଛି ଓଡ଼ିଶା ସରକାରଙ୍କ ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ର । କିନ୍ତୁ ଏହି କେନ୍ଦ୍ରରେ ୪ ମାସ ତଳେ ଚାଉଳ ଓ ମାଣ୍ଡିଆ ଦିଆଯାଉଥିବା ଜଣାପଡ଼ିଛି । ସାଲୁର ବିଧାୟକ ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଏବେ ଗିରିଜନ ବିଭାଗ ମନ୍ତ୍ରୀ ରହିଛନ୍ତି । ତାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ କୋଟିଆ ଗ୍ରାମପୁଞ୍ଜର ନାରେଡିବାଲସା, ଆରଜୁବାଲସା, ତଳସେମ୍ବୀ, ଧୂଳିପଦର ଭଳି ୧୩ଟି ଗାଁର ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପର୍ଯ୍ୟାୟକ୍ରମେ କୋଟିଆ ପଞ୍ଚାୟତର ସମସ୍ତ ଗାଁରେ ଯୋଜନା ସମ୍ପ୍ରସାରିତ ହେବ ବୋଲି ସୂଚନା ମିଳିଛି ।
Follow Us