କନକ ବ୍ୟୁରୋ: ଓଡିଶା–ଆନ୍ଧ୍ରପ୍ରଦେଶ ଭିତରେ ବିଭିନ୍ନ ସମୟରେ ବିବାଦ ଘନେଇବାରେ ଲାଗିଛି। କେତେବେଳେ ସୀମାକୁ ନେଇ ବିବାଦ ତ ଆଉ କେତେବେଳେ ନଦୀର ପାଣିକୁ ନେଇ ବିବାଦ ଦେଖାଦେଇଛି। ପଡୋଶୀ ଆନ୍ଧ୍ରପ୍ରଦେଶର ବିସ୍ତାରବାଦୀ ନୀତି ଧିରେ ଧିରେ ଉପାନ୍ତ ଅଂଚଳର ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ଆଉ ଏହାର ପ୍ରଭାବରେ ସୀମାନ୍ତ ଅଂଚଳର ଓଡିଆ ନାହିଁନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।
ରାୟଗଡା ସଦର ମହକୁମା ଠାରୁ ୨୫ କୁଲୋମିଟର ଦୂରରେ ରହିଛି ମାମିଡିଗୁଡା ଗାଁ। ଆନ୍ଧ୍ର ସୀମାକୁ ଲାଗିଥିବା ଜେମାଦେଇପେଣ୍ଠ ରାଜସ୍ବ ସର୍କଲ ଅଧୀନରେ ଏହି ଗାଁ ଆସିଥାଏ । ଯାହାର ପାହଡ ତଳି ଅଂଚଳ ସଂପୂର୍ଣ୍ଣ ଭାବେ ଓଡିଶାର ହୋଇଥିବା ବେଳେ ପାହାଡ ଆରପଟ ଅଂଚଳ ହେଉଛି ଆନ୍ଧ୍ରର । ହେଲେ ମାମିଡିଗୁଡା ଗାଁର ଜମିକୁ ଆନ୍ଧ୍ର ତରଫରୁ କବଜା କରାଯାଉଛି । ୨୦୧୮ ମସିହାରେ ଚିହ୍ନଟ ହୋଇଥିବା ଓଡିଶା ଜମିରେ ଜୋର ଜବରଦସ୍ତ ଗଛ ଲଗାଉଛି ଆନ୍ଧ୍ର ପ୍ରଦେଶ । ଯାହାକୁ ନେଇ ସୀମାରେ ଏବେ ଅସନ୍ତୋଷର ନିଆଁ ଜଳୁଛି ।
ଅନ୍ୟପଟେ ସୀମାନ୍ତରେ ଥିବା ଏହି ଗାଁ ପ୍ରତି ଜିଲ୍ଲା ପ୍ରଶାସନର ମଧ୍ୟ ଦରଦ ନାହିଁ। ଗାଁରେ ରାସ୍ତାଠାରୁ ଆରମ୍ଭ କରି ବିଦ୍ୟାଳୟ କି ଅଙ୍ଗନୱାଡି କେନ୍ଦ୍ରଟିଏ ବି ନାହିଁ। ୫ କିଲୋମିଟର ଗଲେ ଅଙ୍ଗନୱାଡି ଆଉ ୭ କିଲୋମିଟର ପାହାଡ ଡେଇଁଲେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ମିଳେ। ଜିଲ୍ଲା ପ୍ରଶାସନର ଏଭଳି ଅବହେଳାର ଫାଇଦା ନେଇ ଆନ୍ଧ୍ର ସରକାର, ଓଡିଶା ସୀମା ଅକ୍ତିଆର କରିବାରେ ଲାଗିଛନ୍ତି। ବର୍ଷ ବର୍ଷ ଧରି ଆନ୍ଧ୍ର ଚାଷୀ ଓଡିଶା ଚାଷୀଙ୍କ ହେକ୍ଟର ହେକ୍ଟର ଜମିରେ ବନୀକରଣ କରିଛନ୍ତି । ସବୁଠାରୁ ଦୁଃଖର କଥା ଜମି ପାଇଁ ଖଜଣା ଗଣୁଛନ୍ତି ଓଡିଶା ଚାଷୀ ଆଉ କାଜୁ, କପା, ଆମ୍ବ ଓ ପିଜୁଳି ବିକ୍ରି କରି ଲାଭବାନ ହେଉଛନ୍ତି ଆନ୍ଧ୍ର ଚାଷୀ । ତେଣୁ ସୀମା ବିବାଦ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ସକାରତ୍ମକ ଚିନ୍ତାଧାରାରେ ଆଗେଇ ଆସିବା ଉଚିତ । ଏହାଦ୍ୱାରା ଉଭୟ ରାଜ୍ୟର ସୀମାରେ ବସବାସ କରୁଥିବା ଗ୍ରାମବାସୀ ସୁସ୍ଥ ସାମଜିକ ଜୀବନ ବିତେଇ ପାରିବେ ବୋଲି ସାଧାରଣରେ କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2021/03/vlcsnap-2021-03-04-17h07m21s342.png)