କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ କୋଟିଆରେ ଭୋଟକୁ ଭଣ୍ଡୁର କରିବା ପାଇଁ ବାଟ ଖୋଜୁଛି ପଡୋଷୀ ଆନ୍ଧ୍ର । କିପରି କୋଟିଆ ଲୋକଙ୍କୁ ପ୍ରଭାବିତ କରି ଭୋଟ ଦାନରୁ ନିବୃତ ରଖିବ ସେନେଇ ଷଡଯନ୍ତ୍ର ଚଳାଇଛି । ତେକେବେଳେ ସ୍ୱାସ୍ଥ୍ୟକାର୍ଡ ପଞ୍ଜିକରଣ କଥା କହୁଛି ତ ପୁଣି କେତେବେଳେ ସ୍ୱାସ୍ଥ୍ୟ ଚିକିତ୍ସା କଥା କହି କୋଟିଆରେ ବାରମ୍ବାର ପ୍ରବେଶ କରୁଛନ୍ତି ଆନ୍ଧ୍ର ସରକାରୀ କର୍ମଚାରୀ । ଏହି କ୍ରମରେ ଆଜି ଆନ୍ଧ୍ର ସରକାରୀ କର୍ମଚାରୀ କୋଟିଆରେ ଲୋକଙ୍କୁ ଏକଜୁଟ କରୁଥିବାବେଳେ ଓଡିଶା ପୋଲିସ ହାବୁଡରେ ପଡିଥିଲେ । ତେବେ କୋଟିଆରେ ପ୍ରବେଶ ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ନେବା ପାଇଁ ତାଗିଦ କରିଥିଲା ପୋଲିସ । ନଚେତ ଫୋର୍ସ ଲଗାଇ ଜୋରଜବରଦସ୍ତ ହଟାଇ ଦିଆଯିବ ବୋଲି ଦେଇଥିଲେ ଧମକ ।

Advertisment

ପୋଲିସର ନାଲିଆଖି ଦେଖି ଆନ୍ଧ୍ର କର୍ମଚାରୀ ସେଠାରୁ ଛତ୍ରଭଙ୍ଗ ଦେଇଛନ୍ତି । ତେବେ ଆଗକୁ ପୁଣି ଆସିଲେ ମାଡ ମାରିବାକୁ ଧମକ ଦେଇଛି ପୋଲିସ । ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, କୋଟିଆରେ କୌଣସି ପ୍ରକାରେ ଭୋଟରଙ୍କୁ ପ୍ରଭାବିତ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ କୋଟିଆରେ ନିର୍ବାଚନକୁ ନେଇ ଆନ୍ଧ୍ର ପୋଲିସ ପଟ୍ଟାଙ୍ଗୀ ଥାନାକୁ ଆସିଥିବା ମଧ୍ୟ ସୂଚନା ମିଳିଛି । ଏହି ଟିମ୍ ପଟାଙ୍ଗୀ ଆସି କୋଟିଆ ବାବଦରେ ତଥ୍ୟ ମାଗୁଥିବା ଜଣାପଡିଛି । ତେଣୁ ଆନ୍ଧ୍ରର ଏଭଳି ଚାଲ ନେଇ ଆଗକୁ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି, ତା ଉପରେ ନଜର ରହିଛି ।