କନକ ବ୍ୟୁରୋ: ଆନ୍ଧ୍ର-ଓଡିଶା ସୀମାନ୍ତର କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ଆଜି ନାମାଙ୍କନ ଦାଖଲ କରିଛନ୍ତି ୧୫ ଜଣ । ୩ ଜଣ ସରପଂଚ ପ୍ରାର୍ଥୀ ଓ ୧୦ ଜଣ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିବାଦୀୟ ଫଗୁଣ ସିମେରି ଓ ପଟୁସିମେରି ଗାଁରୁ ଜଣେ ଲେଖାଏଁ ସରପଂଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି ।

Advertisment

ଅନ୍ୟପଟେ କୋଟିଆକୁ ନେଇ ବିବାଦ ତେଜିଥିବା ବେଳେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ମହମ୍ମଦ ଅବଦାଲ ଅଖତର କୋରାପୁଟର ନୂଆ ଜିଲ୍ଲାପାଳ ହୋଇଛନ୍ତି । କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏହା ଅନ୍ୟ ରାଜ୍ୟର ଦାଦାଗିରି, ନା ନିଜ ରାଜ୍ୟର ଅପାରଗତା ତା ବୁଝିବାର ଆବଶ୍ୟକତା ରହିଛି ।

୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହେଲା । ସେତେବେଳେ ଆନ୍ଧ୍ର ନ ଥିଲା, ଥିଲା ମାଡ୍ରାସ ପ୍ରେସିଡେନ୍ସି ଏବଂ ମାଡ୍ରାସ ପ୍ରେସିଡେନ୍ସି ଯେପରି ଅଧିକାଂଶ ସ୍ଥାନ ତାଙ୍କ ପଟେ ରହିବ ଏବଂ ଓଡିଶାକୁ ଯିବ ନାହିଁ ସେଥିପାଇଁ ଚକ୍ରାନ୍ତ କରୁଥିଲେ ବୋଲି ବିଶେଷଜ୍ଞ ମତ ଦିଅନ୍ତି । ୧୯୩୬ର ଚୁକ୍ତି ଅନୁଯାୟୀ ଜୟପୁର ଜମିଦାରୀ ସମ୍ପୁର୍ଣ୍ଣ ଓଡିଶାରେ ରହିବା କଥା । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସମୟରେ ଜୟପୁର ମହାରାଜ ଇଂରେଜ ସରକାରଙ୍କୁ ଚିଠି ଲେଖିଥିଲେ ଯେ ସେହି ସ୍ଥାନର ଲୋକଙ୍କ ଭାବାଗତ ଆବେଗ ଓଡିଆ ଭାଷା ସହ ଅଛି । କିନ୍ତୁ ସେତେବେଳେ ରାଜାଙ୍କ କଥା ଶୁଣାଯାଇନଥିଲା । କଳନ୍ତର ଓ ଜଳନ୍ତରକୁ ଚକ୍ରାନ୍ତ କରି ମାଡ୍ରାସ ପ୍ରେସିଡେନ୍ସି ନେଇଯାଇଥିଲେ ।

କୋଟିଆ ଗ୍ରାମପୁଞ୍ଜ ପାଇଁ ବିବାଦ ପୂର୍ବରୁ ଥିଲେ ମଧ୍ୟ ଦୁଇ ବର୍ଷ ଧରିି ଆନ୍ଧ୍ରର ଦାଦାଗିରି ଏଠାରେ ବଢିଛି ବୋଲି କୁହାଯାଉଛି । କେବେ ରାଜନେତା ତ କେବେ ପ୍ରଶାସନିକ ଅଧିକାରୀ ପଶି ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି । ଏପରିକି କୋଟିଆବାସୀଙ୍କୁ ଉସୁକାଉଥିବା କଥା ମଧ୍ୟ ସାମନାକୁ ଆସିଥିଲା । କିନ୍ତୁ ଏବେ ସୀମା ଟପିଛି ଆନ୍ଧ୍ର । ସୀମାନ୍ତ ଗ୍ରାମ ତଳଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀରେ ଚଳିତମାସ ୧୩ ତାରିଖ ଓ ୧୭ ତାରିଖରେ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି । ଓଡିଶା ପକ୍ଷରୁ ବିରୋଧ ହେବ ଭାବି ବଡ ଷଡଯନ୍ତ୍ରର ଅଂଶ ବିଶେଷ ଗ୍ରାମପଞ୍ଚାୟତର ମାନ୍ୟତା ଦେଇ ନା ପରିବର୍ତ୍ତନ କରିଛନ୍ତି । ତେବେ କଣ ପାଇଁ ରହିଛି ଏହା ଉପରେ ଆନ୍ଧ୍ରର ନଜର ? ଏହାକୁ ନେଇ ବିଭିନ୍ନ ତଥ୍ୟ ସାମନାକୁ ଆସିଛି । କୋଟିଆ ଗ୍ରାମପୁଞ୍ଜର ଏହି ଅଂଚଳ ଗୁଡିକ ହେଉଛି ଖଣିଜ ସମ୍ପଦରେ ଭରପୁର । ଏଠାରେ ରହିଛି ୪ଟି ପାହାଡ ଯେଉଁ ପାହାଡ ମଧ୍ୟରେ ରହିଛି ଥୁରିଆ ଡାଇମଣ୍ଡ ମାଇନସ୍, ଏଠାରେ ଭରପୁର ପରିମାଣର ସୁନା ଓ ବକସାଇଟ୍ ରହିପାରିଥାଏ ବୋଲି ମଧ୍ୟ ଅନୁମାନ କରାଯାଉଛିା ଏହି ଖଣିଜ ସମ୍ପଦରେ ଆନ୍ଧ୍ରର ନଜର ରହିଛି ।

ତେଲେଙ୍ଗାନା ହେବା ପରେ ଆନ୍ଧ୍ରପ୍ରଦେଶର ସ୍ଥାନ କମିଛି ଓ ଜନସଂଖ୍ୟା ବଢିଛି , ତେବେ ଅଧିକ ସ୍ଥାନ ପାଇବା ପାଇଁ ସେ ଏହା କରୁଥାଇପାରେ ବୋଲି ମଧ୍ୟ ମତ ଦେଇଛନ୍ତି । ସେପଟେ କୋଟିଆ ଅଂଚଳର ବିକାଶ ପାଇଁ ଚାଲିଛି ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା । ରାସ୍ତାଘାଟ ଠାରୁ ଆରମ୍ଭ କରି ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ, କ୍ଲୋଷ୍ଟେର ସହ ପ୍ରାୟ ୧୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାମ ଚାଲୁଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ବହୁ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।