କୋଟିଆରେ ଆନ୍ଧ୍ରକୁ ମହଙ୍ଗା ପଡ଼ିଲା ନିର୍ବାଚନ : ଭୋଟ ଦେଲେ ନାହିଁ କୋଟିଆବାସୀ; ୧୨୯୧ରୁ ପଡ଼ିଲା ମାତ୍ର ୨୨୩ ଭୋଟ

କୋଟିଆ ଜିଲ୍ଲାପାଳଙ୍କ ସୂଚନା ଭୋଟ ଦେଇନାହାନ୍ତି କୌଣସି ଓଡ଼ିଆ

154

କନକ ବ୍ୟୁରୋ : କୋଟିଆରେ ନିର୍ବାଚନ କରିବା ଆନ୍ଧ୍ରକୁ ପଡ଼ିଲା ମହଙ୍ଗା । କୋଟିଆବାସୀ ଦେଲେ ନାହିଁ ଭୋଟ । ରାଜ୍ୟ ସରକାରଙ୍କ ବିକାଶ ଓ ଜିଲ୍ଲା ପ୍ରଶାସନର ରଣନୀତି ଆଗରେ ଆନ୍ଧ୍ର ମୁହାଁ ହେଲେ ନାହିଁ ଲୋକେ । ନିଜ ଲୋକଙ୍କୁ ନେଇ ଭୋଟ କଲା ଆନ୍ଧ୍ର । ୧୨୯୧ରୁ ମାତ୍ର ୨୨୩ ଭୋଟ ପଡ଼ିଲା । ଆଗକୁ ଆଉ କୋଟିରେ ଆନ୍ଧ୍ରର କୌଣସି ଚାଲ ସଫଳ ହେବ ନାହିଁ ବୋଲି କହିଲେ କୋରାପୁଟ ଜିଲ୍ଲାପାଳ ଅହମଦ ଅଖତର ।

ଗତକାଲି ଆନ୍ଧ୍ର ହାଇକୋର୍ଟ ନିର୍ବାଚନ ନିମନ୍ତେ ସବୁଜ ସଂକେତ ଦେବାପରେ ରାତିରୁ ହିଁ ପୋଲିଂ ପାର୍ଟି ଓଡ଼ିଶା ସୀମାରେ ଥିବା ମତଦାନ କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ଅନ୍ୟପଟେ ମତଦାନକୁ ଚେକ୍ ଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲଗାଇଥିଲା । ଓଡ଼ିଶାର ରାଜନେତା ମଧ୍ୟ ରାତିରେ ଡେରା ପକାଇ ଆଜି ସକାଳେ ଓଡ଼ିଶା ପୁଲିସ ସହ ସୀମାକୁ ଜଗି ରହିଥିଲେ। କିନ୍ତୁ ନେରେଡ଼ିବାଲସା ମତଦାନ କେନ୍ଦ୍ରରେ ଆଜି ୯ଟି ଗ୍ରାମର ମୋଟ ୧୨୯୧ଜଣ ଭୋଟରଙ୍କ ମଧ୍ୟରୁ ପାଖାପାଖି ୨୨୩ ଜଣ ମତଦାନ କରିଥିବା ସୂଚନା ମିଳିଛି । ଧୂଳିପଦର, ତାଡ଼ିବାଲସା, ଅର୍ଜୁବାଲସା, ତଳସେମ୍ବି, ଉପରସେମ୍ବି ଗାଁରୁ ଆନ୍ଧ୍ର ସଶସ୍ତ୍ର ପୁଲିସ ଓ ବିଜୟନଗରମ ପୁଲିସ ଭୋଟରଙ୍କୁ ଟେକି ନେଇଥିବା ଦେଖିବାକୁ ମିଳିଥିଲା ।

ବଡ଼କଥା ହେଲା ଓଡ଼ିଆ ଭାଷାଭାଷୀ ଏବଂ ଆଦିବାସୀ ବର୍ଗ ଏହି ମତଦାନ ପ୍ରକ୍ରିୟାରେ ଆଦୌ ଅଂଶଗ୍ରହଣ କରି ନଥିଲେ। କେବଳ ତେଲଗୁ ଭାଷାଭାଷୀ ମତଦାନ କରିଛନ୍ତି। ସକାଳ ୯ଟା ସୁଦ୍ଧା ମାତ୍ର ୯ଖଣ୍ଡ ଭୋଟ ପଡ଼ିଥିଲା। ମତଦାନ ହାର କମିବା ଦେଖି ଅପରାହ୍ନ ବେଳକୁ ପ୍ରତିଶତ ବଢ଼ାଇବା ପାଇଁ ଉଦ୍ୟମ କରିଥିଲା ଆନ୍ଧ୍ର ପ୍ରଶାସନ । ନିଜେ ପର୍ବତୀପୁରମ ଉପଜିଲ୍ଲାପାଳ ବେଦେହ ଖରେ, ପିଏ ଆଇଟିଡିଏ ଆର. କୁର୍ମନାଥ, ଆନ୍ଧ୍ର ପୁଲିସ ଓ ଆନ୍ଧ୍ର ସଶସ୍ତ୍ର ବାହିନୀ ଲାଗି ପଡ଼ିଥିଲେ । ଦିନ ୧୧ଟା ୪୦ ସୁଦ୍ଧା ୧୦୯ ଜଣ ଭୋଟ ଦେଇଥିବା ଭୋଟ ଦେଇଥିଲେ। ଥୋନମରେ ହୋଇଥିବା ବୁଥ୍‌କୁ ଯାଇପାରିନାହାନ୍ତି ଓଡ଼ିଶାର ଫାଟୁସେନେରୀ ଓ ଫଗୁଣ‌ସେନେରୀ ଭୋଟର। ସେଠାରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଓ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରିଥିବାରୁ ମତଦାନ ହୋଇପାରି ନଥିଲା ।