କନକ ବ୍ୟୁରୋ: ଆଜି ଆନ୍ଧ୍ରପ୍ରଦେଶରେ ଏକାଥରକେ ଇସ୍ତଫା ଦେବେ ୨୪ ମନ୍ତ୍ରୀ । ବୁଧବାର ମନ୍ତ୍ରୀମଣ୍ଡଳର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଏପ୍ରିଲ ୧୧ ତାରିଖରେ ପୁନର୍ବାର ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ହେବ । ଏଣୁ ଶପଥ ଗ୍ରହଣ ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ ନିଜ ନିଜ ଇସ୍ତଫା ପତ୍ର ଦାଖଲ କରିବାକୁ କହିିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ଭେଟିବାର ଗୋଟିଏ ଦିନ ପରେ କ୍ୟାବିନେଟରେ ନୂଆ ସରକାର ଗଠନ ହେବାର ଔପଚାରିକ ଘୋଷଣା କରାଯାଇଛି । ସୂଚନା ମୁତାବକ, ପୁନର୍ଗଠିତ ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ଦେଖାଦେଇପାରନ୍ତି । କିନ୍ତୁ ବର୍ତ୍ତମାନ ପୂର୍ବର୍ ଟିମର ୫ଜଣଙ୍କୁ ପୁଣିଥରେ କ୍ୟାବିନେଟରେ ସାମିଲ କରାଯାଇପାରେ ।
୨୦୧୯ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଭାର ସମ୍ଭାଳିବା ପରେ ଜଗନମୋହନ ଘୋଷଣା କରିଥିଲେ ଯେ ଅଢେଇ ବର୍ଷ ପରେ ସେ ନିଜ ମନ୍ତ୍ରୀମଣ୍ଡଳକୁ ସମ୍ପୂର୍ଣ୍ଣ ବଦଳାଇବେ ଓ ଏକ ନୂଆ ଟିମ୍ ଗଢିବେ । ଏବେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ଜଗନମୋହନ ।