ଗଂଜାମରେ ଗଡ଼ ବିସ୍ତାର କରୁଛନ୍ତି ଆନ୍ଧ୍ର ବେପାରୀ । କୁନି କୁନି ପିଲାଙ୍କୁ ସଜେଇ ଦେଇଛନ୍ତି ଶିଶୁ ଶ୍ରମିକ ।

122

କନକ ବ୍ୟୁରୋ: ଓଡିଶାରେ ଇଟାଭାଟି କରିଛନ୍ତି ଆନ୍ଧ୍ରପ୍ରଦେଶ ବେପାରୀ । ଆଉ ରୋଜଗାରର ଲୋଭ ଦେଖାଇ ଶହ ଶହ ନାବାଳକ, ନାବାଳିକାଙ୍କୁ ଶିଶୁ ଶ୍ରମିକ ସଜେଇ ଦେଇଛନ୍ତି ଆନ୍ଧ୍ର ବେପାରୀ । ଯେଉଁଠି କୁନି କୁନି ପିଲା ମାଟି ବାଟୁଳା କରି ଇଟା ପାଇଁ ଦେଉଛନ୍ତି । ଯେଉଁ ବୟସରେ ହାତରେ ଖାତା-କଲମ ଧରି ପାଠପଢିବା କଥା ସେହି ବୟସରେ ମାଟି କାଦୁଅରେ ଜୀବନକୁ ଛନ୍ଦି ଦେଇଛନ୍ତି  ଆନ୍ଧ୍ର ବେପାରୀ ।

ଇଟାଭାଟି ଗଢି ଉଠିଥିବା ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ବି-ନୂଆଗାଁରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ବେଳେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଛକାପଂଝା ଲାଗିଥିଲା । ଓଡିଶା ଲୋକଙ୍କୁ ନେଇ ନିର୍ବାଚନ କରିବାକୁ ଜାଲ ବିଛାଇଥିଲା ଆନ୍ଧ୍ର । ଆଉ ଏବେ ଏ ଇଟାଭାଟି ହେଉଛି ଆଉ ଏକ ଥୋପ । ଓଡିଶାରୁ ମାଟି ନେଇ ଓଡିଆଙ୍କୁ ରୋଜଗାରର ଲୋଭ ଦେଖାଇ ନାବାଳକ-ନାବାଳିକାଙ୍କୁ ଶିଶୁ ଶ୍ରମିକ ସଜେଇ ଦେଇଛନ୍ତି ଆନ୍ଧ୍ର ବେପାରୀ ।

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିୟମ ଅନୁସାରେ, ଇଟାଭାଟିରେ କାମ କରୁଥିବା ଶ୍ରମିକମାନଙ୍କ ପିଲାଙ୍କ ପାଠପଢା ଦାୟିତ୍ୱ ସଂପୃକ୍ତ ଇଟାଭାଟି ମାଲିକ ତୁଲାଇବେ । ହେଲେ ଏଠି ସବୁ ଓଲଟା । ଇଟାଭାଟିରେ ସବୁ ନିୟମକୁ ପୋଡି ଦେଇଛନ୍ତି ଆନ୍ଧ୍ର ବେପାରୀ । ପିଲାଙ୍କୁ ପାଠ ପଢାଇବା ବଦଳରେ କାମରେ ଲଗାଇ ଦେଇଛନ୍ତି । ସ୍ଥାନୀୟ ଲୋକେ ଏହାକୁ ବିରୋଧ କଲେ ଭାଟି ମାଲିକ ଧମକ ଦେଉଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଇଟାଭାଟି ଯୋଗୁଁ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧା ମଧ୍ୟ ଭୋଗୁଥିବା ବେଳେ ଆନ୍ଧ୍ର ମାଲିକଙ୍କ କୁକୁଡା ଫାର୍ମ ଆହୁରି ଅତିଷ୍ଟ କରିଛି । ଓଡିଶାରୁ ମାଟି ନେଇ ବେପାର କରୁଥିବା ବେଳେ ବାହୁଦା ନଦୀରୁ ସ୍ଥାନୀୟ ଲୋକଙ୍କୁ ବାଲି ମୁଠାଏ ଦେଉନାହାନ୍ତି ।