ଓଡ଼ିଶାର ଅଳସୀ ମଞ୍ଜି ଉପରେ ଆଖି ପକାଉଛି ପଡୋଶୀ: କୋରାପୁଟ ଜିଲ୍ଲାର ଗାଁ ଗାଁ ବୁଲି ମଞ୍ଜି ସଂଗ୍ରହ କରୁଛନ୍ତି ଆନ୍ଧ୍ର ଦଲାଲ

152

କନକ ବ୍ୟୁରୋ: ଓଡ଼ିଶାର ଅଳସୀ ମଞ୍ଜି ଉପରେ ଆଖି ପକାଇଛି ପଡୋଶୀ । କୋରାପୁଟ ଜିଲ୍ଲା ର ଗାଁ ଗାଁ ବୁଲି ମଞ୍ଜି ସଂଗ୍ରହ କରୁଛନ୍ତି ଆନ୍ଧ୍ର ଦଲାଲ । ଉପଯୁକ୍ତ ବଜାର ସୁବିଧା ନଥିବାରୁ ଚାଷୀ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । କିଲୋ ପିଛା ୩୦ ରୁ ୪୦ ଟଙ୍କାରେ କିଣିବା ପରେ ତାହାକୁ ଖୋଲା ବଜାରରେ ୧୦୦ ରୁ ୧୧୦ ଟଙ୍କାରେ ଆନ୍ଧ୍ର ବ୍ୟବସାୟୀ ବିକ୍ରି କରୁଛନ୍ତି । ଅନ୍ୟପଟେ ଅଳସୀ ଚାଷକୁ ଦୃଷ୍ଟି ରେ ରଖି କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଥିବା ପ୍ରକ୍ରିୟାକରଣ ୟୁନିଟ୍ ମାଟି କାମୁଡ଼ି ପଡ଼ିଛି ।

ଅଭାବି ବିକ୍ରିର ଶିକାର ହେଉଛନ୍ତି ଅଳସୀ ଚାଷୀ । କୋରାପୁଟ ଜିଲ୍ଲାର ପାଣିପାଗ ଅଳସୀ ଚାଷ ପାଇଁ ଉପଯୋଗୀ ହୋଇଥିବାରୁ ଏହି ଚାଷ ଉପରେ ନିର୍ଭର କରନ୍ତି ଅନେକ ଚାଷୀ । ଚଳିତ ବର୍ଷ ପାଖାପାଖି ୨୩ ହଜାର ହେକ୍ଟର ଚାଷ ଜମିରେ ହୋଇଥିଲା । ପ୍ରକ୍ରିୟାକରଣ ୟୁନିଟ୍ ବନ୍ଦ ହୋଇଯିବାରୁ ଆନ୍ଧ୍ର ବ୍ୟବସାୟୀଙ୍କୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । କିଲୋ ପିଛା ୩୦ ରୁ ୪୦ ଟଙ୍କାରେ କିଣିବା ପରେ ତାହାକୁ ଖୋଲା ବଜାରରେ ୧୦୦ ରୁ ୧୧୦ ଟଙ୍କାରେ ବିକ୍ରି କରୁଛନ୍ତି ଆନ୍ଧ୍ର ବ୍ୟବସାୟୀ । ବର୍ଷ ବର୍ଷ ଧରି ଚାଷୀ ଏଭଳି ସମସ୍ୟାର ସାମ୍ନା କରୁଥିବା ବେଳେ ଏଥିପ୍ରତି ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉନଥିବା ଚାଷୀ ଅଭିଯୋଗ ଆଣିଛନ୍ତି । ଏଭଳି ସ୍ଥିତିରେ ଅଳସି ଚାଷ କରି ଚାଷୀ କିଭଳି ଅର୍ଥ ଉପାର୍ଜନ କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।

କୋରାପୁଟରୁ ଟନ୍ ଟନ୍ ଟନ୍ ଅଳସୀ ଉତ୍ପାଦନ ହେଉଥିବାରୁ ୨୦୧୨ ମସିହାରେ ଚାଷୀଙ୍କୁ ଉଚିତ୍ ମୁଲ୍ୟ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ପରିକଳ୍ପନା କରାଯାଇଥିଲା । ୨୫ ଲକ୍ଷ ଟଙ୍କା ବିନିଯୋଗରେ ଏକ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇଥିଲା । ଏହି ୟୁନିଟ୍ରୁ ଦିନକୁ ପାଖାପାଖି ୨ଶହ ଲିଟର ଅଳସୀ ତେଲ ଉତ୍ପାଦନ ହେଉଥିଲା । ସେହି ଅନୁସାରେ ପିଡ଼ିଆ ମଧ୍ୟ ବାହାରୁଥିଲା ।

ମିଶନ ଶକ୍ତି ଜିଲ୍ଲା ଫେଡେରେସନକୁ ୟୁନିଟ୍ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ୧୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକ୍ରିୟାକରଣ ରେ ସାମିଲ ହୋଇ ବିନା ପ୍ରୋସେସିଂ ଫିରେ ଅଳ୍ପ କିଛି ଲାଭ ରଖି ତେଲ ବିକ୍ରି କରୁଥିଲେ । ବିଭିନ୍ନ ଘରୋଇ ବିଦ୍ୟାଳୟ, ପୁଲିସ ଓ ବିଏସ୍ଏଫ୍ କ୍ୟାମ୍ପରେ ବିକ୍ରି ବ୍ୟବସ୍ଥା କରାଯାଇଥିଲା । ପ୍ରତି ମାସ ରେ ପ୍ରାୟ ୨ ଲକ୍ଷ ଟଙ୍କା ଆୟ ହେଉଥିଲା । କିନ୍ତୁ ହଠାତ୍ ଏହି ୟୁନିଟ୍ ବନ୍ଦ ହୋଇଯିବାରୁ ପଡ଼ୋଶୀ ଆନ୍ଧ୍ର ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

ଅଳସୀରୁ ମିଳୁଥିବା ତେଲ ଓ ପିଡ଼ିଆକୁ ଉପଯୁକ୍ତ ଦରରେ ବିକ୍ରୟ କରି ସ୍ୱାବଲମ୍ବି ହେବାର ଆଶା ରଖିଥିବା ଚାଷୀର ସ୍ୱପ୍ନ ଏବେ ମଉଳିବାକୁ ବସିଲାଣି । ତେଣୁ ପ୍ରକ୍ରିୟା କରଣ ୟୁନିଟ୍କୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି ।