ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର । ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ କରୁଛି ଆନ୍ଧ୍ର ପ୍ରଶାସନ । 

60

କନକ ବ୍ୟୁରୋ: କୋଟିଆ ପରେ ଏବେ ଆନ୍ଧ୍ରର ନଜର ପଡ଼ିଛି ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା  ସାନ ଲୁକୁଟି ଗାଁ ଉପରେ । ଓଡ଼ିଶାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ଆନ୍ଧ୍ର ସରକାର ଆରମ୍ଭ କରିଛି  ଗୋଟିଚାଳନା । ଏବେ ଓଡ଼ିଶାର ବିନା ଅନୁମତିରେ ଆନ୍ଧ୍ର ସରକାର ଓଡ଼ିଶାର ସୀମାରେ ଖୁଲାମ ଖୁଲା ଆରମ୍ଭ କରିଦେଇଛି ବ୍ରିଜ ଏବଂ ରାସ୍ତା ନିର୍ମାଣ କାମ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଅନ୍ତର୍ଗତ ବୈରାଗୀହଲୁଆ ପଚାଂୟତର ସାନଲୁକୁଟି ଗାଁରେ  ।

କୋରାପୁଟ ପରେ ଏବେ ରାୟଗଡ଼ା ଜିଲ୍ଲାର ସୀମାନ୍ତ ଅଂଚଳ ଉପରେ ଆଖି ପକାଇଛି ଆନ୍ଧ୍ର । ଓଡିଶା ସରକାରଙ୍କ ବିନା ଅନୁମତି, ଓଡିଶା ମାଟିରେ ପୋଲ ନିର୍ମାଣ କରୁଛନ୍ତି ଆନ୍ଧ୍ର ସରକାର । ରାୟଗଡା ସଦର ବ୍ଲକ ଅନ୍ତର୍ଗତ ବୈରାଗୀହଲୁଆ ପଚାଂୟତର ସାନଲୁକୁଟି ଗାଁରେ ଆନ୍ଧ୍ର ସରକାର ବ୍ରିଜ ତିଆରି କରୁଛନ୍ତି । ଖବର ପାଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ବ୍ରିଜ ନିର୍ମାଣ କାମକୁ ବନ୍ଦ କରିଛନ୍ତି ।

ସାନଲୁକୁଟି ଗାଁ ଠାରୁ ଆନ୍ଧ୍ର ସୀମାର ଦୂରତା ମାତ୍ର ୫ଶହ ମିଟର । ସୀମା ସେପଟେ ଥିବା ଆନ୍ଧ୍ରର ଲଡା ଗାଁକୁ ଯିବା ପାଇଁ ରାସ୍ତା ନାହିଁ । ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବହିଯାଉଥିବା ନାଳ ହିଁ  ଏହି ଦୁଇ ଗାଁର ସୀମା  । ହେଲେ ଏବେ ଆନ୍ଧ୍ର ସରକାର ଓଡିଶାର ବିନା ଅନୁମତିରେ ଲଡା ଗାଁରୁ ସାନଲୁକୁଟି ଗାଁକୁ ଯୋଗାଯୋଗ ପାଇଁ ନାଳ ଉପରେ ପୋଲ ତିଆରି କରୁଛନ୍ତି । ସ୍ଥାନୀୟ ବାସିନ୍ଦା କହିଛନ୍ତି, ନିର୍ମାଣଧୀନ ବ୍ରିଜର ଅଧିକାଂଶ ଭାଗ ଓଡିଶା ମାଟିରେ ହେଉଥିବା ବେଳେ ଅଳ୍ପ ଅଂଶ ଆନ୍ଧ୍ର ଅଂଚଳରେ ରହିଛି ।

କେବଳ କୋରାପୁଟ କି ରାୟଗଡା ନୁହେଁ, ସୀମାନ୍ତ ଜିଲ୍ଲା ଗଜପତି ସୀମାକୁ ଅନୁପ୍ରବେଶ କରି ନିର୍ମାଣ କାମ ଚଳାଇଛି ଆନ୍ଧ୍ର । କାଶୀନଗର ବ୍ଲକ ଅଂଚଳରେ ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କରୁଛନ୍ତି । ଆନ୍ଧ୍ର ଆଳତିପୁର ପଂଚାୟତରୁ ଓଡିଶାକୁ ଯୋଗାଯୋଗ କରୁଥିବା ରାସ୍ତାର ସଂପ୍ରସାରଣ କରି ଓଡିଶା ଆଡକୁ ରାସ୍ତା ତିଆରି ଚାଲିଛି । ଖବର ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଂଚି ରାସ୍ତା ସଂପ୍ରସାରଣ କାମକୁ ବନ୍ଦ କରିଛନ୍ତି ।