କନକ ବ୍ୟୁରୋ: ଡାକ ବିଭାଗରେ ଚାକିରି ପାଇଁ ନକଲି ସାର୍ଟିଫିକେଟକୁ ନେଇ ବଲାଙ୍ଗିରରୁ ଉଠିଥିବା ଝଡ଼ ଏବେ ରାଜ୍ୟର ଅନ୍ୟ ଭାଗକୁ ବ୍ୟାପିଗଲାଣି । ବଲାଙ୍ଗିର ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ ଚଳାଇଥିବାବେଳେ ମାଳମାଳ ନକଲି ସାର୍ଟିଫିକେଟ ସବୁ ସାମ୍ନାକୁ ଆସୁଛି । ଏହାରି ଭିତରେ ଏକ ରୋଚକ କଥା ସାମ୍ନାକୁ ଆସିଛି । ସାରାଓଡି଼ଶାକୁ ତାଜୁବ କରିଦେଇଛି ଆନ୍ଧ୍ର ନମ୍ବର । ଓଡି଼ଶାର ଜଣେ ପରୀକ୍ଷାର୍ଥୀ ଆନ୍ଧ୍ର ବୋର୍ଡରେ ପରୀକ୍ଷା ଦେଇ ମାଟ୍ରିକରେ ୬୦୦ରୁ ୬୦୦ ନମ୍ବର ରଖିଛନ୍ତି । ଅର୍ଥାତ ସମସ୍ତ ବିଷୟରେ ସେ ରଖିଛନ୍ତି ଶହେରୁ ଶହେ ।

Advertisment

ନାଁ- ଡିଲେଶ୍ୱର ନାୟକୋ
ଘର- ଗଞ୍ଜାମ ପାତ୍ରପୁର ବ୍ଲକ ତୁମ୍ବାଗଡ଼
ସ୍କୁଲ- ଏସଆରଏସଏମ ଜେପି ହାଇସ୍କୁଲ, ମଣ୍ଡସାର, ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ

ସେ ମୋଟ୍ ୬୦୦ରୁ ୬ଶହ ମାର୍କ ରଖିଛନ୍ତି ଡିଲୋଶ୍ୱର । ସେ ଫାଷ୍ଟ ଲାଙ୍ଗୁଏଜ ଓଡିଆ ରଖିଥିବାବେଳେ ସେକେଣ୍ଡ ଲାଙ୍ଗୁଏଜ ତେଲୁଗୁ ରଖିଛନ୍ତି । ଓଡିଆ, ତେଲୁଗୁ ଓ ଇଂରାଜୀରେ ୧୦୦ ନମ୍ବର ଲେଖାଏଁ ରଖିଥିବାବେଳେ ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ମଧ୍ୟ ୧୦୦ ନମ୍ବର ଲେଖାଏଁ ରଖିଛନ୍ତି । ସମସ୍ତ ବିଷୟରେ ୧୦୦ ମାର୍କ ଲେଖାଏଁ ରଖି ଆନ୍ଧ୍ର ବୋର୍ଡରୁ ପ୍ରଥମ ଶ୍ରେଣୀରେ ଉନ୍ନିତ ହୋଇଛନ୍ତି ଡିଲେଶ୍ୱର ନାଏକୋ । ୨୦୨୦ରେ କରୋନା ସମୟରେ ଅନଲାଇନରେ ପରୀକ୍ଷା ଦେଇ ଏଭଳି ସଫଳତା ପାଇଥିବା କନକ ନ୍ୟୁଜକୁ କହିଛନ୍ତି ଡିଲେଶ୍ୱର ।

ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ- ଜେଡିଏସ ପଦବୀ ପାଇଁ ଆବେଦନର ଖୋଳତାଡ ଚାଲିଥିବାବେଳେ ଡିଲେଶ୍ୱରଙ୍କ ମାର୍କସିଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଡାକ ବିଭାଗ ପକ୍ଷରୁ ରାଜ୍ୟ ବାହାର ଜାଲ ସାର୍ଟିଫିକେଟ ଧରପଗଡକୁ ଜୋରଦାର କରାଯାଇଥିବାରୁ ଓଡିଆ ଛାତ୍ରଙ୍କ ଆନ୍ଧ୍ର ବୋର୍ଡ ନମ୍ବର ଦେଖି ଅଧିକାରୀମାନେ ବିସ୍ମିତ ହୋଇପଡିଛନ୍ତି । ଯଦିଓ ଡିଲେଶ୍ୱରଙ୍କ ସାର୍ଟିଫିକେଟ୍ ନକଲି କିମ୍ବା ଅସଲି ତାହା ଜଣାପଡିନାହିଁଁ, କିନ୍ତୁ ତାଙ୍କ ମାର୍କସିଟ୍ ବଡଧରଣର ସନ୍ଦେହ ସୃଷ୍ଟି କରିଛି । ଶିକ୍ଷାବିତଙ୍କ ମତରେ ବାହାର ବୋର୍ଡରେ ଦିଆଯାଉଥିବା ଏଭଳି ମାର୍କ ଓଡିଶାର ଅନ୍ୟ ମେଧାବୀ ପିଲାଙ୍କ ବାଟ ଓଗାଳୁଛି । ବିଶେଷ କରି ଡାକ ବିଭାଗରେ ବାହାରିଥିବା ଏହି ଚାକିରି ପାଇଁ କେବଳ ମେରିଟ୍ ଆଧାରରେ ଚୟନ ହେଉଥିବାରୁ ବାହାର ବୋର୍ଡର ମାର୍କସିଟ୍ ଅଧିକ ସମସ୍ୟା ସୃଷ୍ଟି କରିବ ବୋଲି କର୍ମଜୀବୀଙ୍କ ମତ । ସହଜରେ ମିଳୁଥିବା ସାର୍ଟିଫିକେଟ୍ କିଭଳି ମାର୍କର ମୂଲ୍ୟକୁ କମାଇ ଦେଇଛି, ତାକୁ ନେଇ ମଧ୍ୟ ଆରମ୍ଭ ହୋଇଛି ବିତର୍କ ।