କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ର ମତଦାନ ପାଇଁ ଜାରି କଲା ତାଲିକା । କୋଟିଆକୁ ନେଇ ଆନ୍ଧ୍ର ଆକ୍ଟିଭ୍ ଥିବା ବେଳେ ଶୀତଳ ପଡିଗଲା ଭଳି ମନେ ହେଉଛି ଓଡ଼ିଶା । ଆନ୍ଧ୍ର ପକ୍ଷରୁ ଭୋଟର ଲିଷ୍ଟ ଜାରି ହେଲାଣି, କିନ୍ତୁ ରାଜ୍ୟ ପକ୍ଷରୁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ । ଏବେ କନକ ନ୍ୟୁଜ ହାତରେ ଲାଗିଛି କୋଟିଆରେ ଆନ୍ଧ୍ରର ଭୋଟର ତାଲିକା ଲିଷ୍ଟ ।

Advertisment

ବାଜିଲା ନିର୍ବାଚନ ବିଗୁଲ, ତପ୍ତର ହେଲା ଆନ୍ଧ୍ର । ବିଧିବଦ୍ଧ ଭାବେ କୋଟିଆର ଭୋଟର ଲିଷ୍ଟ ଜାରି କଲା ଆନ୍ଧ୍ର । କୋଟିଆ ଭୋଟରଙ୍କ ପାଇଁ ୩ଟି ବୁଥ୍ କରିବ ଆନ୍ଧ୍ର । ତଳଗଞ୍ଜେଇପଦର, ଫାଟୁସିନେରି, ଫଗୁଣ ସିନେରି ପଞ୍ଚାୟତରେ ହେବ ଆନ୍ଧ୍ର ବୁଥ୍ । ଭୋଟ ଦେବେ ପ୍ରାୟ ୬ ହଜାର ଭୋଟର । ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଳାପାଳ ଦେଇଥିବା ସୂଚନାକୁ ସ୍ପଷ୍ଟ କରିଛି ଏହି ଭୋଟର ତାଲିକା ।

  • କୋଟିଆରେ ଆନ୍ଧ୍ର କରିବ ନିର୍ବାଚନ
  • ଭୋଟର ଲିଷ୍ଟ ଜାରି କରିଛି ପଡ଼ୋଶୀ ପ୍ରଶାସନ
  • ୬ ହଜାର ଭୋଟରଙ୍କ ପାଇଁ ହେବ ୩ଟି ବୁଥ୍

ଏପଟେ କିନ୍ତୁ କୋରାପୁଟ ଜିଲ୍ଳା ପ୍ରଶାସନ ପକ୍ଷରୁ କୌଣସି ଜବାବ ଦେବା ଭଳି ତଥ୍ୟ ନଜରକୁ ଆସିନାହିଁ । ଆନ୍ଧ୍ର ମାନ୍ୟମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ପରେ କୋଟିଆରେ ଲୋକଙ୍କୁ ସଚେତନ କରାଇଥିଲେ କୋରାପୁଟ ଜିଲ୍ଳାପାଳ । କିନ୍ତୁ ପ୍ରତି ନିର୍ବାଚନରେ ସମସ୍ୟା ଦେଖିବାକୁ ମିଳେ । ଓଡ଼ିଶାରେ ଭୋଟ ଦେବା ପରେ ପ୍ରାୟ ୧୦ ପ୍ରତିଶତ ଭୋଟର ଆନ୍ଧ୍ରରେ ଭୋଟ ଦେଉଥିବା କହିଛନ୍ତି ସ୍ଥାନୀୟ ସରପଂଚ ।

ପୂର୍ବରୁ ରାଜ୍ୟ ନିର୍ବାଚନ କମିସନର ନିକୁଞ୍ଜ ବିହାରି ଧଳ କୋରାପୁଟରେ କୋଟିଆ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଳାର ୧୪ଟି ବିଧାନସଭା ଆସନକୁ ନେଇ ତର୍ଜମା କରିଥିଲେ । ଶାନ୍ତିସୃଙ୍ଖଳା ସହ ମତଦାନ ପାଇଁ କୋରାପଟ ଜିଲ୍ଳାରେ ୮ଟି ସିଆରପିଏଫ୍ କମ୍ପାନୀ ମୁତୟନ ରହିବେ ।