ସ୍କୁଲ ହତାରେ କୃଷି…ବଗିଚାରେ ଲାଗିଛି ବିଭିିନ୍ନ ପନିପରିବା ସହ ଫଳ ଗଛ…ପାଠପଢା ସହିତ କୃଷି ଭିତ୍ତିକ ଜ୍ଞାନ ଶିଖୁଛନ୍ତି ତକ୍ଷଶୀଳା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ

350

କନକ ବ୍ୟୁରୋ: ସ୍କୁଲ ହତାରେ କୃଷି । ବଗିଚାରେ ଲାଗିଛି ବିଭିିନ୍ନ ପନିପରିବା ଗଛ ସହ ଫଳ ଗଛ । ପୁଣି ସେହି ଗଛ ଗୁଡିକରେ ଦିଆଯାଉନାହିଁ ରାସାୟନିକ ସାର କିମ୍ବା ଔଷଧ । କେବଳ ଖତ-ଗୋବର ଦେଇ ଉତ୍ପାଦନ କରାଯାଉଛି ପନିପରିବା । ପାଠପଢା ସହିତ କୃଷି ଭିତିକ ଜ୍ଞାନ ଶିଖାଯାଉଛି ଛାତ୍ରଛାତ୍ରୀଙ୍କୁ । ଅବସର ସମୟରେ କୃଷି କ୍ଷେତ୍ରରେ ମନ ନିବେଶ କରୁଛନ୍ତି ଛାତ୍ରଛାତ୍ରୀ । ଏମିତି ଏକ ବିଦ୍ୟାଳୟ ଅଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକରେ ।

ବିଦ୍ୟାଳୟ ପରିସରରେ ବଗିଚା…ଛାତ୍ରଛାତ୍ରୀଙ୍କ ପନିପରିବା ଚାଷ…ପରିବା ବଗିଚାରେ ବ୍ୟସ୍ତ ଛାତ୍ରଛାତ୍ରୀ । ପାଠପଢା ପରେ ବଳକା ସମୟ କଟୁଛି ଏଇଠି । ନିଜ ହାତରେ ତିଆରି କରିଥିବା ଫସଲ କ୍ଷେତରେ କିଏ କୋଦାଳ ଧରି ମାଟି କୋଡୁଛି ତ ଆଉ କିଏ ବାଇଗଣ ତୋଳୁଛି । ଆଉ କିଏ କୋଡା ହୋଇଥିବା ମାଟିରେ ଗଛ ପୋତୁଛି । ବିଭିନ୍ନ ପ୍ରକାର ପନିପରିବା ଚାଷରେ ପରିପୂର୍ଣ୍ଣ ଫସଲ କୌଣସି ଚାଷ ଜମିର ନୁହେଁ । କେନ୍ଦୁଝର ଘସିପୁରା ବ୍ଲକ କେଶଦୁରାପାଳ ସ୍ଥିତ ତକ୍ଷଶୀଳା ପବ୍ଲିକ ସ୍କୁଲ ହତା ଭିତରର ।  ବିଭିନ୍ନ ପ୍ରକାରର ଶାଗ ଓ ହରଡ ବି ଲଗାଇଛନ୍ତି ଛାତ୍ରଛାତ୍ରୀ । ସବୁଠାରୁ ବଡ କଥା ହେଲା ଛାତ୍ରଛାତ୍ରୀ ଏସବୁ ଫଳାଇଛନ୍ତି ବିନା ରସାୟନିକ ସାରରେ ।

ଖତ-ଗୋବର ଜୈବିକ ସାର ପ୍ରୟୋଗ କରି ଉପ୍ରାଦନ କରାଯାଉଥିବା ପନିପରିବାକୁ ଛାତ୍ରଛାତ୍ରୀମାନେ ଖାଉଛନ୍ତି । ସ୍କୁଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଏହି ପନିପରିବାରେ କରାଯାଏ । ତେବେ ପରିବା ବଗିଚାରେ କାମ କରିବା ଦ୍ୱାରା ଶାରୀରିକ ବ୍ୟାୟମ ହେବା ସହ କୃଷି ସମ୍ବଦ୍ଧିୟ ଶିକ୍ଷା ମିଳପାରୁଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ । ତେବେ ବହି ଜ୍ଞାନ ସହ ବ୍ୟବହାରିକ ଜ୍ଞାନ ଆହାରଣ କରିବା, କୃଷି କାର୍ଯ୍ୟ ଶିଖିବା ଏବଂ କାମରେ ଲଗାଇବା, ଖୁବ ପ୍ରେରଣାଦାୟୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।