କନକ ବ୍ୟୁରୋ: ଓଡିଶାରେ ଆଗୁଆ ନିର୍ବାଚନ ହେବ କି? କିଛି ଦିନ ହେବ ଏହା ଚର୍ଚ୍ଚାର ବିଷୟ ହୋଇଛି । ଆଉ ଏବେ ରାଜ୍ୟକୁ ଏତେ ସଂଖ୍ୟାରେ ଇଭିଏମ ମେସିନ୍ ଆସିବା ନିର୍ବାଚନର ଇସାରା ଦେଉଛି । ପୁରୀ ଜିଲ୍ଲା ଇଭିଏମ ମେସିନ୍ ଓ ଭିଭିପାଟ୍ ରଖାଯାଉଥିବା ଗୋଦାମ ଗୃହରେ ପହଞ୍ଚିଛି ଇଭିଏମ । ନିର୍ବାଚନ କମିଶନ ପଠାଇଥିବା ଇଭିଏମ ମେସିନଗୁଡିକୁ ଗୋଦାମ ଗୃହରେ ସୁରକ୍ଷିତ ଭାବେ ରଖାଯାଇଛି । ସୂଚନା ଅନୁସାରେ ହାଇଦ୍ରାବାଦରୁ କଡା ସୁରକ୍ଷା ମଧ୍ୟରେ ଏହି ସବୁ ଇଭିଏମକୁ ପୁରୀ ଅଣାଯାଇଛି । ମୋଟ ୬ଟି ଟ୍ରକରେ ୬୩୦ଟି ବାକ୍ସରେ ୮ହଜାର ୨ଶହ ଇଭିଏମ ଆସିଛି । ଆଉ ଇଭିଏମ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଛି । ତେବେ ଏହା ନିର୍ବାଚନ ପ୍ରସ୍ତୁତି ବୋଲି ଅନୁମାନ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

Advertisment

ନିର୍ବାଚନ କେବେ ହେବ ଏହା ସ୍ପଷ୍ଟ ହୋଇନଥିଲେ ବି ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିଜେଡି ଦେଢ଼ କୋଟି ଭୋଟରଙ୍କୁ ଟାର୍ଗେଟ କରି ମେମ୍ବରସିପ୍ ଡ୍ରାଇଭ ଚଳାଇଛି । ଏପ୍ରିଲ ଶେଷ ପର୍ଯ୍ୟନ୍ତ ବିଜେଡିର ଏହି ଅଭିଯାନ ଚାଲିବ । ପ୍ରତି ୱାର୍ଡରେ ୧୫ଜଣ ସକ୍ରିୟ ସଦସ୍ୟ ରଖିିବାକୁ ଲକ୍ଷ୍ୟ ରଖିଛି ଦଳ । ଏଥିସହ ସୋସିଆଲ ମିଡିଆରେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡି ହେବାକୁ ଦଳୀୟ ନେତାଙ୍କୁ କୁୁହାଯାଇଛି । ଅନ୍ୟପଟେ ପ୍ରତ୍ୟେକ ଘର, ବୁଥ ଏବଂ ପରିବାର ପାଖରେ ପହଞ୍ଚିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି । କୋଟିଏ ପରିବାର ପାଖରେ ପହଞ୍ଚି ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା କହିବେ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବା କଥା କଥା କହିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରିବା, ବଡ ବଡ ଜନସଭାରେ ଯୋଗ ଦେବା ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।