ପୁଣି ହରଡ଼ଘଣାରେ ହିମାଚଳ ସରକାର! କ୍ୟାବିନେଟ୍ ବୈଠକ ମଝିରୁ ଉଠିଗଲେ ଶିକ୍ଷାମନ୍ତ୍ରୀ, ହେଲେ କାହିଁକି?

221

କନକ ବ୍ୟୁରୋ: ପୁଣି ହିମାଚଳ ପ୍ରଦେଶ ସରକାରରେ ହଲଚଲ । ହିମାଚଳ ପ୍ରଦେଶ କଂଗ୍ରେସ ସରକାର ଉପରୁ ସଙ୍କଟ ଟଳିନଥିବା ବାରି ହୋଇପଡୁଛି, କାରଣ ଯେତେବେଳେ ଜାତୀୟ ଗଣମାଧ୍ୟମରେ ହିମାଚଳ କଂଗ୍ରେସରେ ସବୁକିଛି ଠିକଠାକ୍ କୁହାଯାଉଛି ଠିକ୍ ସେତିକିବେଳେ ଗତକାଲିର କ୍ୟାବିନେଟ୍ ବୈଠକରେ ବିଦ୍ରୋହର ଧୂଆଁ ଉଠିଛି । ଆଉ ଏହି ବିଦ୍ରୋହ ଝଲକ ଶୁଖୁଙ୍କ ସରକାରର ଶିକ୍ଷାମନ୍ତ୍ରୀ ରୋହିତ୍ ଠାକୁର ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

ଗତକାଲି ହିମାଚଳପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ବୈଠକ ଚାଲିଥିବାବେଳେ ହଠାତ୍ ମଝିରୁ ଉଠି ବାହାରକୁ ଚାଲି ଆସିଥିଲେ ଶିକ୍ଷାମନ୍ତ୍ରୀ ରୋହିତ୍ ଠାକୁର । ଏହାପରେ ଏମିତି କ’ଣ ହେଲା ଯେ, କାହିଁକି ରାଗିଗଲେ ମନ୍ତ୍ରୀ ରୋହିତ୍ ଠାକୁର ବୁଝିବା ପାଇଁ ତାଙ୍କ ପଛେ ପଛେ ଉପ-ମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ବାହାରକୁ ଚାଲିଆସିଲେ । ପରେ ଶିକ୍ଷାମନ୍ତ୍ରୀଙ୍କୁ ବୁଝା ସୁଝାଇ କ୍ୟାବିନେଟ୍ ବୈଠକରେ ବସାଇଲେ ଉପ-ମୁଖ୍ୟମନ୍ତ୍ରୀ । କିନ୍ତୁ ବିକ୍ରମାଦିତ୍ୟ ସିଂ କ୍ୟାବିନେଟ୍ ବୈଠକରେ ନଜର ଆସିନଥିଲେ ବୋଲି ଚର୍ଚ୍ଚା ହେଉଛି ।

ଠିକ୍ ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଜଗତ ସିଂହ ନେଗୀ ମଧ୍ୟ କ୍ୟାବିନେଟ୍ ବୈଠକରୁ ଉଠି ପଳାଇଲେ, ଏହାପରେ କ୍ୟାବିନେଟ୍ ଶେଷ ହେବା ପରେ ଦୁଇ ଜଣ ମନ୍ତ୍ରୀ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଯେବେଠାରୁ ହିମାଚଳପ୍ରଦେଶ ରାଜ୍ୟସଭା ନିର୍ବାଚନ ହୋଇଛି ସେବେଠୁ କଂଗ୍ରେସ ସରକାର ମୁଣ୍ଡ ଉପରୁ ସମସ୍ୟା ପିଛା ଛାଡୁନି । ଆଉ ଏପରି ସମୟରେ ହିମାଚଳ ହାତକୁ ସମ୍ଭାଳିବା ପାଇଁ କେତେବେଳେ ସଙ୍କଟମୋଚକ ଶିବକୁମାରଙ୍କୁ ଡକାର ହେଉଛି ତ କେତେବେଳେ ଶୀର୍ଷ ନେତାଙ୍କ ଆର୍ବିଭାବ ।