ପୁଣି ବାହାନଗା ଟ୍ରେନ ଟ୍ରାଜେଡିର ପୁନରାବୃତ୍ତି । ଆନ୍ଧ୍ର ଓଡ଼ିଶା ସୀମାରେ ପରସ୍ପର ସହ ୨ଟି ଟ୍ରେନ୍ ଧକ୍କା । ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ସୂଚନା

352

କନକ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ଜିଲ୍ଲା ବିଜୟନଗରମ୍ ଜିଲ୍ଲା କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟ୍ରେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ସରକାରୀ ସୂତ୍ରରୁ ଏହି ଟ୍ରେନ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଓ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ତେବେ ଅସମର୍ଥିତ ସୂତ୍ରରୁ ୧୦ରୁ ଅଧିକ ମୃତ ଓ ଶତାଧିକ ଆହତ ହୋଇଥିବା କୁହାଯାଉଛି ।

ଆଜି ସଂଧ୍ୟା ୭ଟା ସମୟରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟକାପାଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ । ରେଳ ଲାଇନରେ ବିଦ୍ୟୁତ ତାର ମଧ୍ୟ ଛିଣ୍ଡି ପଡ଼ିଥିବା କୁହାଯାଉଛି । ଠିକ୍ ଏହି ସମୟରେ ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ରାୟଗଡ଼ା ପାସେଞ୍ଜରର ଦୁଇଟି ବଗି ପ୍ରଭାବିତ ହୋଇଥିଲା । ଏଥିରେ ଶତାଧିକ ଯାତ୍ରୀ ରହିଥିବା ସୂଚନା । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏନଡିଆରଏଫ୍ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଆହତଙ୍କୁ ବିଶାଖାପଟଣା ସ୍ଥିତ କିଙ୍ଗସ୍ ଜର୍ଜ ହସପିଟାଲ୍, ରେଳବାଇ ହସପିଟାଲ୍ ଓ ବିଜୟନଗରମର ଏକ ଘରୋଇ ହସପିଟାଲ୍ରେ ଭର୍ତି କରାଯାଇଛି ।

ବିଜୟନଗରମ୍ ଜିଲ୍ଲାର ଏସପି ଓ ଜିଲ୍ଲାପାଳ ମଧ୍ୟ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ୧୦ଟି ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ପହଞ୍ଚି ଆହତଙ୍କୁ ଚିକିତ୍ସା ଯୋଗାଉଛନ୍ତି । ମୃତାହତ କେତେ ଏ ନେଇ ସ୍ୱଷ୍ଟ ଚିତ୍ର ମିଳିନାହିଁ । ରାୟଗଡ଼ା ଓ ବିଶାଖାପାଟଣା, ବ୍ରହ୍ମପୁର, ପଲାସା ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ହେଲ୍ପ ଲାଇନ୍ ଡେସ୍କ ଖୋଲା ଯାଇଛି । ରେଳବାଇ ପକ୍ଷରୁ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । ସୂଚନା ପାଇଁ ୦୮୯୧-୨୭୪୬୩୩୦ , ୦୮୯୧-୨୭୪୪୬୧୯ ଏବଂ ମୋବାଇଲ୍ ନମ୍ବର ୮୧୦୬୦୫୩୦୫୧ରେ ସଂପର୍କ କରିବାକୁ କୁହାଯାଇଛି । ଟ୍ରେନ ଦୁର୍ଘଟଣାରେ ଶୋକପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଆହତଙ୍କୁ ଚିକିତ୍ସ ସେବା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ୨ଟି ଟ୍ରେନ ବାତିଲ ହୋଇଥିବା ବେଳେ ୫ଟି ଟ୍ରେନର ଗତିପଥ ବଦଳିଥିବା ସୂଚନା ମିଳିଛି ।

ଅନ୍ୟପଟେ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଟ୍ରେନ୍ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଥା ହେବା ସହ ସ୍ଥିତିର ସମୀକ୍ଷା କରିଛନ୍ତି ମୋଦୀ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଦୁର୍ଘଟଣା ସଂପର୍କରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ନିୟନ୍ତ୍ରଣଧୀନ ରହିଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ସେପଟେ ଟ୍ରେନ୍ ଦୁର୍ଘଟଣା ନେଇ ଆଲର୍ଟ ମୋଡରେ ରହିଛନ୍ତି ରାଜ୍ୟ ସରକାର । ରାୟଗଡ଼ା, କୋରାପୁଟ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ଆବଶ୍ୟକ ପଡ଼ିଲେ ଫାୟାର ସିର୍ଭସ, ଓଡ୍ରାଫ୍ ଓ ଆମ୍ବୁଲାନ୍ସ ଟିମ୍ ପଠାଇବାକୁ କୁହାଯାଉଛି । ଓଡ଼ିଆ ଯାତ୍ରୀଙ୍କ ଆସିବା ପାଇଁ ବସ୍ ମଧ୍ୟ ପଠାଯାଇଛି । ରାୟଗଡ଼ା ହସପିଟାଲକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।