ସାଲେପୁରର ଓଡାସିଙ୍ଗ ଗାଁରେ ପାତାଳୀ ଗରୁଡ଼ଙ୍କ ମନ୍ଦିର: ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଐତିହ୍ୟ ଓ ସଂସ୍କୃତି

221

କନକ ବ୍ୟୁରୋ: ସାରା ଉତ୍କଳ ହେଉଛି ପବିତ୍ର ଭୂମି। ଏହି ମାଟିର ସବୁ ମଣିଷ ଖୁବ୍ ଈଶ୍ୱର ବିଶ୍ୱାସୀ। ସବୁଆଡେ ରହିଛି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର। ରାଜ୍ୟର କିଛି ସ୍ଥାନରେ ବହୁ ପୁରାତନ ମନ୍ଦିର ରହିଛି। ଯେଉଁଠି ଭଗବାନଙ୍କୁ ପୂଜା କରାଯିବା ବଦଳରେ ତାଙ୍କ ବାହାନଙ୍କୁ ପୂଜାର୍ଚ୍ଚନା କରାଯାଏ। କଟକ ସାଲେପୁରର ଓଡାସିଙ୍ଗ ଗାଁରେ ରହିଛି ସେମିତି ଏକ ମନ୍ଦିର। ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡିତ ମନ୍ଦିର ଏବେ ସଂପୂର୍ଣ୍ଣ ଜରାଜିର୍ଣ୍ଣ। ହେଲେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ କି ସଂସ୍କୃତି ବିଭାଗର ନଜର ନାହିଁ । ପ୍ରତ୍ନତତ୍ୱ ବିଭାଗ ଦୃଷ୍ଟି ଦେଉନଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି।

କଟକ ସାଲେପୁରରେ ଓଡାସିଙ୍ଗ ଗାଁରେ ରହିଛି ପାତାଳି ଗରୁଡ଼ ମନ୍ଦିର। ହଜାର ହଜାର ବର୍ଷ ତଳର ଶ୍ରୀଜିଉଙ୍କ ମନ୍ଦିର ରହିଛି । ପୁରୀର ମେଘନାଦ ପାଚେରୀ ଭଳି ପାଚେରୀ ବି ଅଛି। କିନ୍ତୁ କେତେବେଳେ ଭାଙ୍ଗି ପଡିବ ତାହା କହିବା ମୁସ୍କିଲ। ମନ୍ଦିର ଫାଟି ଆଁ କରିଛି । ଗଛ ଲତା ଉଠି ଗଲାଣି। ବହୁ ପୁରାତନ ମନ୍ଦିର ଏଭଳି ଜରାଜିର୍ଣ୍ଣ ଅବସ୍ଥାରେ ପଡିଛି ଦେଖିଲେ, ପ୍ରଶାସନ ପକ୍ଷରୁ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପ୍ରତି କେତେ ଦରଦ ତାହା ଜଳଜଳ ହୋଇ ଦେଖାଯାଉଛି। ପାତାଳି ଗରୁଡ଼ଙ୍କ ଉପରେ ସ୍ଥାନୀୟ ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ଗରୁଡ଼ ଦ୍ଵାଦଶୀ ଦିନ ସତନ୍ତ୍ର ଖଇ ଭୋଗ କରାଯାଏ। ଖଇ ଭୋଗ ସେବନ କଲେ ରୋଗ ବୈରାଗରୁ ମୁକ୍ତି ମିଳିବା ସହ ସନ୍ତାନ ପ୍ରାପ୍ତି ଏବଂ ମାନସିକ ପୁରଣ ହୋଇଥାଏ ।

ଅତୀତର ଏହି ମନ୍ଦିର ସହିତ ଆଉ ଅନେକ ମନ୍ଦିର ଥିଲା, ଯାହାର ମୂକସାକ୍ଷୀ ଆଜି ବି ଖୋଲାମେଲାରେ ପଡିରହିଛି। ପଥରରେ ସୁକ୍ଷ୍ମ କାରୁକାର୍ଯ୍ୟ ସେମିତି ଜୀବନ୍ତ ହୋଇ ରହିଛି। ଗରୁଡ଼ ମନ୍ଦିର ଚାରିପଟେ ଯେତିକି ପଥର ପଡିଛି ତାକୁ ନେଇ ୨ଟି ମନ୍ଦିର ହୋଇପାରିବ। ଅଞ୍ଚଳବାସୀଙ୍କ ଦାବି ଯଦି ପ୍ରତ୍ନତତ୍ୱ ବିଭାଗ ଏହି ମନ୍ଦିର ଉପରେ ଗବେଷଣା କରି ଲୁକ୍କାୟିତ ତଥ୍ୟକୁ ସାମନାକୁ ଆଣି ପାରନ୍ତା ତେବେ ଏହାର ଇତିହାସ ଲୋକେ ଜାଣି ପାରନ୍ତେ।
ତେଣୁ ସାରା ଓଡ଼ିଶାରେ ଗୋଟିଏ ଗରୁଡ଼ ମନ୍ଦିର, ପୁଣି ବହୁ ପୁରାତନ। ଏଠି ଠାକୁର ଉଚ୍ଚତାରେ ନବଢି ଚଉଡାରେ ବଢୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହାର ମୁଖଶାଳାରେ ଲାଗିଥିବା କବାଟ ଅତୀତର ସ୍ମାରକୀ ବହନ କରେ । ତେଣୁ ଏହି ପୁରାତନ ମନ୍ଦିରର ପୁନରୁଦ୍ଧାର ନିତ୍ୟାନ୍ତ ଜରୁରୀ । ନଚେତ ଅତୀତରେ ବେଢ଼ାରେ ଭାଙ୍ଗି ପଡିଥିବା ମନ୍ଦିର ଭଳି ଏମନ୍ଦିର ମଧ୍ୟ ଭାଙ୍ଗି ପଡିବ।