କନକ ବ୍ୟୁରୋ : ବୈବାହିକ ଜୀବନରେ ଯେତେବେଳେ ଛାଡ଼ପତ୍ର କଥା ଉଠେ , ତେବେ ଏହା ଆଜୀବନ ଯନ୍ତ୍ରଣାଦାୟକ ଅଟେ । ଛାଡ଼ପତ୍ର କେବଳ ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କରେ ନାହିଁ, ବରଂ ଦୁଇଟି ପରିବାରକୁ ମଧ୍ୟ ଅଲଗା କରିଥାଏ । ଦୁନିଆରେ ଅନେକ ସମ୍ପ୍ରଦାୟ ଅଛି ଯେଉଁଠି ଛାଡପତ୍ରକୁ ଏକ ଅଭିଶାପ ବୋଲି ଧରାଯାଏ । ମାତ୍ର ଆମ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଛାଡପତ୍ର ପାଇଁ ଏକ ସ୍ୱତନ୍ତ୍ର ମନ୍ଦିର ରହିଛି । ଆପଣ କୌଣସି ମନ୍ଦିର ଗଲେ ସେଠାରେ ବିଭିନ୍ନ ଦେବା-ଦେବୀଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ପାଇବେ । ମାତ୍ର ବିଶ୍ୱର ଏମିତି ଏକ ମନ୍ଦିର, ଇତିହାସ ୬୦୦ ବର୍ଷ ପୁରୁଣା । ମାଟସୁଗୋକା ଟୋକି-ଜି ମନ୍ଦିର, ଏହି ମନ୍ଦିର ଡିର୍ଭୋସ ଟେମ୍ପଲ , ବା ଛାଡପତ୍ର ମନ୍ଦିର ଭାବେ ବେଶ୍ ପରିଚିତ । ଜାପାନର କାନାଗାୱା ଜିଲ୍ଲାର କାମାକୁରା ସହରରେ ଅବସ୍ଥିତ ଏହି ମନ୍ଦିର । ପାରିବାରିକ କଳହ ପରେ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇଁ ଜାପାନର ମହିଳାମାନେ ଏହି ମନ୍ଦିରକୁ ଆସିଥାନ୍ତି । ଶହ ଶହ ବର୍ଷ ପୁରୁଣା ଜାପାନରେ ଛାଡପତ୍ର ହୋଇଥିବା ମହିଳାମାନଙ୍କ ପାଇଁ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । କୁହାଯାଏ ଏହି ମନ୍ଦିର ମହିଳାମାନଙ୍କ ପାଇଁ ଦ୍ୱିତୀୟ ଘର ଥିଲା । ସ୍ୱାମୀଙ୍କ ପାଖରୁ ଛାଡପତ୍ର ନେବା ପରେ ମହିଳାମାନେ ଆସି ଏଠାରେ ରହୁଥିଲେ । ତେବେ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ ଏହି ମନ୍ଦିର କାହିଁକି ଡିର୍ଭୋସ ଟେମ୍ପଲ ଭାବରେ ଜଣାଶୁଣା? ଆସନ୍ତୁ ଜାଣିବା ଏହି ମନ୍ଦିର ସହ ଜଡ଼ିତ କିଛି ରହସ୍ୟର କଥା...

Advertisment

ଜାପାନର ଡିର୍ଭୋସ ଟେମ୍ପଲ । ଏହି ମନ୍ଦିରର ଇତିହାସ ୬୦୦ବର୍ଷ ପୁରୁଣା । କୁହାଯାଏ ଯେତେବେଳେ ଜାପାନରେ ମହିଳାମାନଙ୍କର କୌଣସି ଅଧିକାର ନଥିଲା ସେତେବେଳେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା । ଘରୋଇ ହିଂସାର ଶିକାର ହେବା ପରେ ମହିଳାମାନଙ୍କର ସାହାରା ଥିଲା ଏହି ମନ୍ଦିର । ଘରେ ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳାମାନେ ଏହି ମନ୍ଦିରରେ ସହାୟତା ପାଇଥାନ୍ତି । ଏହା ମୁଖ୍ୟତଃ ଏକ ବୌଦ୍ଧ ମନ୍ଦିର । ଯେତେବେଳେ ଜାପନରେ ଛାଡପତ୍ରର କୌଣସି ବ୍ୟବସ୍ଥା ନଥିଲା ସେତେବେଳେ ମହିଳାମାନଙ୍କୁ ସହାୟତା ଦେବା ପାଇଁ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା ।

ସାମାଜିକ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ , ୧୨୮୫ ମସିହାରେ ବୌଦ୍ଧ କାକୁସାନ୍ ଶିଡୋ-ନି ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । ୧୧୮୫ ରୁ ୧୩୩୩ ମଧ୍ୟରେ ଜାପାନରେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ମହିଳାମାନଙ୍କୁ କୌଣସି ଅଧିକାର ଦିଆଯାଉନଥିଲା । ଏହାବ୍ୟତୀତ ମହିଳାମାନଙ୍କଉପରେ ଅନେକ ସାମାଜିକ ପ୍ରତିବନ୍ଧକ ମଧ୍ୟ ରହିଥିଲା । ସେହି ସମୟରେ ଯଦି କୌଣସି ମହିଳା ତାଙ୍କ ବିବାହକୁ ନେଇ ଖୁସି ନଥିଲେ ଏବଂ ଘରୋଇ ହିଂସାର ଶିକାର ହୋଇଥିଲେ, ସେମାନେ ଆସି ଏହି ମନ୍ଦିରରେ ରହୁଥିଲେ । କିଛି ସମୟପରେ, ମହିଳାମାନେ ଆନୁଷ୍ଠାନିକ ଭାବରେ ଏହି ମନ୍ଦିରରୁ ଛାଡପତ୍ର ପାଇବା ଆରମ୍ଭ କଲେ । ଏବଂ ଏହି ସାର୍ଟିଫିକେଟ୍ ସହ ମହିଳାମାନେ ବିବାହରୁ ଆଇନଗତ ସ୍ୱାଧୀନତା ପାଉଥିଲେ ।

ତେବେ ଜାପାନରେ ଥିବା ଏହି ମନ୍ଦିରର ସଂରକ୍ଷଣ ସ୍ଥାପତ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ଏହି ମନ୍ଦିର ଭିତରେ ରହିଛି ସୁନ୍ଦର ବଗିଚା । ମନ୍ଦିରରେ ରହିଛି ବୌଦ୍ଧଙ୍କ ପ୍ରତିମୂର୍ତ୍ତି । ଏହି ମନ୍ଦିରର ପରିସର ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । କିନ୍ତୁ ଏହି ମନ୍ଦିର ସମ୍ପର୍କ ଭାଙ୍ଗିବାର ସ୍ଥାନ କିମ୍ବା ଛାଡପତ୍ର ମନ୍ଦିର ଭାବେ ବେଶ୍ ଜଣାଶୁଣା । ଏହି ମନ୍ଦିର ଏବେ ପର୍ଯ୍ୟଟକ ମାନଙ୍କ ପର୍ଯ୍ୟଟନ ସ୍ଥଳୀ ।