ସୁସ୍ଥ ହେଉଛନ୍ତି ଶ୍ରୀବିଗ୍ରହ: ଜ୍ୱର ପୀଡ଼ିତ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା, ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଓଷ

ସୁସ୍ଥ ହେଉଛନ୍ତି ଶ୍ରୀବିଗ୍ରହ: ଜ୍ୱର ପୀଡ଼ିତ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା, ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଓଷ

Source:Odisha Sun Times

କନକ ବ୍ୟୁରୋ: ସ୍ନାନ ପରେ ଜ୍ୱର ପୀଡ଼ିତ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ଶାସ୍ତ୍ରାନୁମୋଦିତ ଚିକିତ୍ସା ଚାଲିଛି। ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧର (ଦଇତାପତି)ମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରୁଛନ୍ତି। ଶନିବାର ଶଯ୍ୟାଶାୟୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜଡିବୁଟିଯୁକ୍ତ ଫୁଲୁରି ତେଲ ଲାଗି କରାଯାଇଥିବା ବେଳେ ଗତକାଲି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗରେ ଓଷ ଲାଗି ହୋଇଛି। ତିନି ଦିନ ଲାଗି ଏହି ଓଷ ଉପଚାର ଚାଲିବ। ଗତକାଲି ପଟି ଦିଅଁଙ୍କଠାରେ ମଧ୍ୟାହ୍ନ ଧୂପ ସରିବା ପରେ ଅଣସର ଦ୍ୱାର ଫିଟାଯାଇ ଗୁପ୍ତ ସେବା ଆରମ୍ଭ ହୋଇଥିଲା ଏବଂ ସେବା ସରିବା ପରେ ପୁଣି ଅଣସର ଦ୍ୱାର ବନ୍ଦ ହୋଇ ପଟିଦିଅଁଙ୍କ ଅନ୍ୟାନ୍ୟ ନୀତି ଚାଲିଥିଲା। ସ୍ନାନଯାତ୍ରା ପରଠାରୁ ଅଣସର ଘରେ ଥିବା ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ଏହିଭଳି ଚାଲିଛି।

publive-image

ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ମହାପ୍ରଭୁ ଜୁନ ୨୮ରେ ଚକାବିଜେ କରିବେ। ଫୁଲୁରି ତେଲ ଓ ଓଷ ମର୍ଦ୍ଦନ ହେବା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରିବା ସହ ଚକା ଉପରେ ବିଜେ କରିବେ। ଜୁନ ୨୯ରେ ମହାପ୍ରଭୁଙ୍କୁ ରକ୍ତବସ୍ତ୍ର ଓ ଖଳି ଲାଗି କରାଯିବ। ଶ୍ରୀଅଙ୍ଗରେ ଏହା ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ଅନୁଭବ କରିବେ। ଜୁନ ୩୦ରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଜୁଲାଇ ୧ ବିଳମ୍ୱିତ ରାତିରେ ଘଣାଲାଗି ଓ ବନକଲାଗି ନୀତି ଅନୁଷ୍ଠିତ ହେବ। ଘଣାଲାଗି ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ବନକଲାଗି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇ ଜୁଲାଇ ୨ରେ ଚକା ଅପସର ସହ ନବଯୌବନ ବେଶରେ ଦର୍ଶନ ଦେବେ। ଏହି ଦିନ ବାହୁଟକଣ୍ଟ ଓ ସେନାପଟା ଲାଗି ହେବ। ଜୁଲାଇ ୪ରେ ମହାବାହୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe