ଇଲେକ୍ଟ୍ରିସିଆନ ଠିକାଦାର ହେବାକୁ ଯାଇ ହେଇଗଲା ଆତଙ୍କବାଦୀ ଠିକାଦାର

ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣ ମାମଲା

152

କାଶ୍ମୀର ଅନନ୍ତନାଗ ଗଡୁଲ ଜଙ୍ଗଲରେ ସାତଦିନ ଧରି ଚାଲିଥିବା ଅପରେସନ ଗତ ମଙ୍ଗଳବାର ଶେଷ ହୋଇଛି । ଏହି ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ  ଉଜେର ଖାନର ଶବ ଉଦ୍ଧାର କରାଯାଇଛି । ତା ସହ ମିଳିଥିବା ଆଉ ଏକ ଆତଙ୍କବାଦୀର  ଶବ ଚିହ୍ନଟ ହୋଇପାରିନାହିଁ । ଉଜେର ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା । ସେମାନଙ୍କ ନିକଟରୁ ବହୁ ପରିମାଣରେ ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।  ଏହି ଏନକାଉଣ୍ଟରରେ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ ଧନଚକ, ଡିଏସପି ହୁମାୟୁନ ଭଟ ଏବଂ ସୈନିକ ପ୍ରଦୀପ ସହିଦ ହୋଇଥିଲେ ।

ଦକ୍ଷିଣ କାଶ୍ମୀରର ଅନନ୍ତନାଗର କୋକରନାଗରେ ଆତଙ୍କବାଦୀ ମୁକାବିଲାରେ ନିହତ ହୋଇଥିବା ଲଶ୍କର ଆତଙ୍କବାଦୀ ଉଜେର ଖାନ ବର୍ଷେ ପୂର୍ବରୁ  ଇଲେକ୍ଟ୍ରିସିଆନ ଭାବରେ କାମ କରୁଥିଲା ।  ଜୁଲାଇ ୨୫ , ୨୦୨୨ ରେ ସୋନମାର୍ଗରେ ଏକ ନିର୍ମାଣାଧୀନ ବିଲ୍ଡିଂର ଇଲେକ୍ଟ୍ରି କାମର ଠିକାଦାରୀ ମିଳିଛି କହି ଉଜେର ଘରୁ ବାହାରି ଯାଇଥିଲା ।  କିନ୍ତୁ ସେ ଇଲେକ୍ଟ୍ରି କାମର ଠିକାଦାରୀ ବଦଳରେ ଆତଙ୍କବାଦୀଙ୍କ ଠିକାଦାର ହେଇଯାଇଥିଲା । ସୂଚନାନୁସାରେ ସେଦିନ ନୌଗାମରେ ଥିବା ଘରୁ ବାହାରିବାବେଳେ ଉଜେର ଖାନ ତା ଦାଦା  ଏବଂ ଜେଜେମା’ଙ୍କୁ କହିଥିଲା ଯେ ନୂଆ କାମ ମିଳିଛି ତେଣୁ ତାକୁ ବାହାରେ ରହିବାକୁ ପଡିପାରେ । କିନ୍ତୁ ଘରେ ଜାଣିନଥିଲେ ଯେ ସେ ଆତଙ୍କବାଦୀ କାମ ପାଇଁ ଯାଉଛି । ଏହା ତା ପରିବାର ଶେଷ ବାର୍ତ୍ତାଳାପ ଥିଲା । ଏହା ପରେ ଯେତେବେଳେ ସେ ଘରକୁ ଫେରି ନଥିଲେ ପରିବାରଲୋକେ ୨୬  ଜୁଲାଇ ୨୦୨୨ ରେ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ।

ଉଜେର ଆତଙ୍କବାଦୀ ପାଲଟିଥିବା ପୋଲିସ କହିଲା

ନିଖୋଜ ହେବାପରେ ଉଜେରର ପରିବାରକୁ ପୋଲିସ ଯାଇ ଜଣାଇଲା କି ଯେ ସେ ଆତଙ୍କବାଦୀ ପାଲଟିଯାଇଛି ।  ଏକାଧିକ ସୋସିଆଲ ମିଡିଆ ପୋଷ୍ଟରୁ ଏହା ଜଣାପଡିଛି ଯେ ଉଜେର ଖାନ  ଆତଙ୍କବାଦୀ ହେଲାପରେ  ନିଜ ନାମ ବଦଳେଇ ଉସମାନ ଗାଜି ରଖିଥିଲା ଏବଂ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)ରେ ଯୋଗ ଦେଇଥିଲା । ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ହେଉଛି କୁଖ୍ୟାତ ଲସ୍କର ତୋଇବାର ଏକ ଛଦ୍ମ ସଂଗଠନ ।  ଏହା ଜାଣି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉଜାୟରଙ୍କ ଜେଜେମା ତାଙ୍କ ଚାରି ପୁଅ ଏବଂ ସେମାନଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଦୁଇ ମହଲା ଘରେ ରହୁଥିବାବେଳେ ତା ପିତା ବଶିର ଅହମ୍ମଦ ଖାନ ଉଜେରର  ସାବତ ମା ଫରିଦା ଜାନଙ୍କ ସହ ଗାଁରେ ଅଲଗା ରହୁଛନ୍ତି ।

ଜଣେ ଭଲ ଇଲେକ୍ଟ୍ରିସିଆନ ଥିଲା

କୁଖ୍ୟାତ ଆତଙ୍କବାଦୀ ଉଜାୟର ଦ୍ଵାଦଶ ଶ୍ରେଣୀ ଫେଲ ହେବାପରେ ସ୍ଥାନୀୟ ଏକ ପଲିଟେକ୍ନିକ୍ କଲେଜରୁ ଡିପ୍ଲୋମା କରିଥିଲା । ସେ ନୌଗାମଏବଂ ଏହାର ଆଖପାଖରେ ଭଲ ଇଲେକ୍ଟ୍ରିସିଆନ ଭାବେ ଜଣାଶୁଣା ଥିଲା ।

A+ କ୍ୟାଟେଗୋରୀ ଆତଙ୍କବାଦୀ ଥିଲା  

ଉଜେର ଅହମ୍ମଦ ଖାନ ଏକ ବର୍ଷ ପୂର୍ବେ ଲଶ୍କରରେ ଯୋଗ ଦେଇଥିଲା । ବହୁତ ଅଳ୍ପ ସମୟ ଭିତରେ ସେ ଜଣେ କୁଖ୍ୟାତ ଆତଙ୍କବାଦୀ ପାଲଟି ସାରିଥିଲା । ଇଲେକ୍ଟ୍ରିସିଆନ ଭାବେ ସେ ଯେମିତି ନାଁ କମେଇଥିଲା ଆତଙ୍କବାଦୀ ଭାବେ ମଧ୍ୟ ସେମିତି କୁଖ୍ୟାତ ଥିଲା । । ପୋଲିସ ତାକୁ A+ କ୍ୟାଟେଗୋରୀ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା। ତାକୁ ଧରାଇଦେଲେ ବା ସୂଚନାଦେଲେ ଦଶ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।