ବୁନୁଙ୍କୁ ଭରସିଲେ ନବୀନ । ଭୁବନେଶ୍ୱର ମଧ୍ୟରୁ ଶଙ୍ଖ ଟିକେଟରେ ଲଢିବେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ।

527

କନକ ବ୍ୟୁରୋ : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଅନେକ ଦିନରୁ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ତେବେ ସବୁୁ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭରସା କରିଛନ୍ତି ବିଜେଡି ସୁପ୍ରିମୋ ଆଉ ଦେଇଛନ୍ତି ଟିକେଟ୍ । ଏହି ଆସନରୁ ୨୦୧୪ ନିର୍ବାଚନରେ ବିଜୟ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ, ବିଜୟ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ତେବେ ସଂଗଠନ ସହ ସେତେଟା ଜଡିତ ରହୁନଥିବାରୁ ଏଥର ତାଙ୍କ ଟିକେଟ୍ କଟିପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । 

ସେପଟେ ଭୁବନେଶ୍ୱର ମଧ୍ୟ ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ଥିଲେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ଶେଷରେ ବିଜେଡି ସୁପ୍ରିମୋ ତାଙ୍କୁ ଭରସା କରିବା ସହ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ପ୍ରାର୍ଥୀ କରିଛନ୍ତି । ସେପଟେ ଜଗନ୍ନାଥ ନାୟକଙ୍କୁ ବିଜେପି ଏହି ଆସନରୁ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆଣିନାହିଁ । ତେବେ ଏହି ଆସନରେ ଚଳିତ ନିର୍ବାଚନରେ କଡା ମୁକାବିଲା ହେବାକୁ ଯାଉଥିବା ଚର୍ଚ୍ଚା ହେଉଥିବା ବେଳେ, କିଏ ପିନ୍ଧିବ ବିଜୟର ଟିକା, ତା ଉପରେ ରହିଛି ସମସ୍ତଙ୍କ ନଜର ।