ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କିଏ? ଆଜି ହୋଇପାରେ ଘୋଷଣା, ସେପଟେ ନିର୍ବାଚନ ଲଢିବେନି ବୋଲି କହିଲେ ଅନଙ୍ଗ ଉଦୟ

427

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଭିତରେ କସରତ ଶେଷ ପର୍ଯ୍ୟାୟରେ ପହଁଚିଛି । ଏବେ କେବଳ ପ୍ରକାଶ ପାଇବ ଟିକେଟ୍ ତାଲିକା । ଏହି ତାଲିକାକୁ ସମସ୍ତେ ଅପେକ୍ଷା କରିଛନ୍ତି । ସେପଟେ ଟିକେଟ ତାଲିକା ପ୍ରକାଶ ପୂର୍ବରୁ ତିନି ପ୍ରମୁଖ ଦଳଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ପ୍ରାୟତଃ ପ୍ରାର୍ଥୀ ଚୟନ ଶେଷ କରି ସାରିଥିବା କୁହାଯାଉଛି । ଏବଂ ଆଜି  ଏହି ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି ।

ନବୀନ ନିବାସରେ ଗତକାଲି ରାତିରେ ବି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦଓ, ପିନାକୀ ମିଶ୍ର,  ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା  ନବୀନ ନିବାସ ଆସିଥିଲେ । ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା ।  ତେବେ ଆଗାମୀ ନିର୍ବାଚନରେ  ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ । ସେହିଭଳି  ଅନନ୍ତ ଦାସ ବି କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ।

ସେପଟେ ବିଜେଡି ଶିବିର ଆଡକୁ ପାଦ ବଢ଼ାଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଳୀପ ରାୟ । ପ୍ରାୟ ୧୭ ବର୍ଷ ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧ ଦ୍ୱାର ବୈଠକ  ପରେ ଫେରି ଯାଇଛନ୍ତି  ଦିଲ୍ଲୀପ ରାୟ । ବିଜେଡିରେ ଦିଲ୍ଲୀପ ଯୋଗ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଶେଷ ପର୍ଯ୍ୟାୟରେ ପହଁଚିଥିବା କୁହାଯାଉଛି । ଖୁବଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ ଦିଲ୍ଲୀପ ରାୟ । ତେବେ ୨୦୦୨ ମସିହାରେ ତାଙ୍କୁ ଦଳରୁ ବିଦା କରାଯାଇଥିଲା । ଏହା ପରେ ସେ ବିଜେପିରେ ଯୋଗ ଦେଇ ରାଉରକେଲା ବିଧାୟକ ହୋଇଥିଲେ । ତେବେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍କୁ ସୁପରସ୍ପେଶାଲିଟି ହସପିଟାଲ୍ କରିବା ପ୍ରତିଶ୍ରୁତି ପୂରଣ କରିବାରେ ମୋଦି ସରକାର ବିଫଳ ହୋଇଥିବା ସେ ଅଭିଯୋଗ ଆଣିଥିଲେ । ଏହାକୁ ପ୍ରସଙ୍ଗ କରି ଗତ ବର୍ଷ ବିଜେପିରୁ ଇସ୍ତଫା ଦେଇଥିଲେ ଦିଲ୍ଲୀପ ।