କଟକ ସହରକୁ ଭିକାରୀ ମୁକ୍ତ କରିବାର ଲକ୍ଷ୍ୟରେ : ବୃଦ୍ଧ ଅସହାୟ ଭିକ୍ଷୁକଙ୍କ ପାଇଁ ଆଶ୍ରା ପାଲଟିଛି ଆନନ୍ଦାଳୟ ଆଶ୍ରମ

96

କନକ ବ୍ୟୁରୋ: କଟକ ସହର ଭିକାରୀ ମୁକ୍ତ ହେବ । ଏଠି ଆଉ କେହି ବୃଦ୍ଧ ଅସହାୟ ପେଟ ଚାଖଣ୍ଡକ ପାଇଁ ହାତ ପାତିବେ ନାହିଁ । ଏହି ଉଦ୍ଦେଶ୍ୟରେ ଆଗେଇ ଆସିଛି କଟକର ଆନନ୍ଦାଳୟ ଆଶ୍ରମ । ଭିକ୍ଷାବୃତ୍ତି କରୁଥିବା ବୃଦ୍ଧବୃଦ୍ଧାଙ୍କୁ ଦେଇଛି ଆଶ୍ରୟ ।

ସମୟ ସହ ବଦଳୁଛି ଲୋକଙ୍କ ମାନସିକତା । କିଛି ଲୋକ ନିଜ ବୃଦ୍ଧ ବାପା, ମାଙ୍କୁ ଅସହାୟ ଅବସ୍ଥାରେ ଛାଡିଦେଉଥିବାବେଳେ ଆଉ କିଛି ସହୃଦୟ ବ୍ୟକ୍ତି ତଥା ସଙ୍ଗଠନ ସେମାନଙ୍କୁ ଆପେଣଇ ନେବାକୁ ଆଗେଇ ଆସୁଛନ୍ତି । ଏଭଳି ଏକ ସଙ୍ଗଠନ ହେଉଛି କଟକର ଆନନ୍ଦାଳୟ ଆଶ୍ରମ । ରାସ୍ତା କଡରେ ଭିକ୍ଷା ବୃତ୍ତି କରି ଚଳୁଥିବା ବୃଦ୍ଧବୃଦ୍ଧାଙ୍କୁ ଏହି ସଂସ୍ଥା ଆପଣେଇ ନେଉଛି । ସେମାନଙ୍କ ଖାଇବା ପିଇବା, ରହିବା ସବୁ ଦାୟିତ୍ୱ ନେଉଛି । ଏଠାରେ ଆଶ୍ରମର କର୍ମଚାରୀଙ୍କ ସ୍ନେହଶ୍ରଦ୍ଧା ପାଇ ସେମାନେ ବେଶ୍ ହସଖୁସିରେ ଦିନ କାଟୁଛନ୍ତି ।

କେବଳ ଏତିକି ନୁହେଁ ଏଠାରେ ଏହି ବୃଦ୍ଧବୃଦ୍ଧାଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଆଯାଉଛି । ନିଜ ଲୋକଙ୍କ ଠାରୁ ପାଇଥିବା ମାନସିକ ଆଘାତକୁ ଭୁଲାଇବାକୁ ଏମାନଙ୍କୁ ଯୋଗ ଶିଖାଯିବା ସହ ସେମାନଙ୍କ ସହ ହସଖୁସିରେ ସମୟ ଅତିବାହିତ କରୁଛନ୍ତି ଆଶ୍ରମର କର୍ମଚାରୀ । ସମୟ ଅନ୍ତରରେ ଏମାନଙ୍କ ମନସ୍ତତ୍ୱ କାଉନସେଲିଂ କରାଯାଉଛି ।

କଟକ ବାୟାଲିଶିମୌଜାରେ ଥିବା ଏହି ଆଶ୍ରମରେ ରହୁଛନ୍ତି ୮୦ ଜଣ ଅନ୍ତେବାସୀ । ସ୍ୱାବଲମ୍ବୀ କରିବାକୁ ସେମାନଙ୍କୁ ବିଭିନ୍ନ ଗୃହ ଉପକରରଣ ସାମଗ୍ରୀ ତିଆରି କରିବାକୁ ଟ୍ରେନିଙ୍ଗ ଦିଆଯାଉଛି । ଏମାନେ ତିଆରି କରୁଛନ୍ତି ରଙ୍ଗ ବେରଙ୍ଗର ପାପୋଛ । ଏଠାରେ କେବଳ ବୃଦ୍ଧବୃଦ୍ଧ ନୁହଁନ୍ତି ଅସହାୟ ଯୁବ ବୟସ୍କଙ୍କୁ ମଧ୍ୟ ଆଶ୍ରୟ ମିଳିଛି ।

କଟକ ସହରକୁ ଭିକାରୀମୁକ୍ତ କରିବା ସହ ଜୀବନ ଯନ୍ତ୍ରଣା ଭୋଗୁଥିବା ଏହି ଅସହାୟଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ଚେଷ୍ଟା କରୁଥିବା ଆନନ୍ଦାଳୟ ଆଶ୍ରମକୁ ମିଳୁଛି ଅନେକ ଶୁଭେଚ୍ଛା ।