କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ବଢିବାରେ ଲାଗିଛି ବିବାଦ । ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମିଳିବା ପରେ ମୃତ୍ୟୁ ପାଇଁ ତାଙ୍କର ଜଣେ ଶିଷ୍ୟକୁ ଦାୟୀ କରାଯାଉଥିବା ବେଳେ ମିଡିଆ ଆଗରେ ମୁହଁ ଖୋଲିଛନ୍ତି ଶିଷ୍ୟ ଆନନ୍ଦ ଗିରି । ସେ କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି । ପ୍ରଥମେ ତାଙ୍କୁ ବାବାଙ୍କ ହୃଦଘାତରେ ମୃତ୍ୟୁ ଖବର ମିଳିଥିଲା ପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି । ଜଣେ ପୋଲିସ ଅଧିକାରୀ ମଠର ସମ୍ପତି ହାତେଇବାକୁ ଏମିତି କରିଥାଇ ପାରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ତେବେ ଆନନ୍ଦ ଦାବି କରିଛନ୍ତି କି ତାଙ୍କ ବିରୋଧରେ ଜାଣିଶୁଣି ଆରୋପ ଲଗାଯାଇଛି । ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି । ନିରପେକ୍ଷ ତଦନ୍ତରେ ମୁଁ ଯଦି ଦୋଷୀ ସାବ୍ୟସ୍ତ ହେଲି ତେବେ ଦଣ୍ଡ ଭୋଗିବାକୁ ମୁଁ ପ୍ରସ୍ତୁତ ବୋଲି ଆନନ୍ଦ ଗିରି କହିଛନ୍ତି ।
ତେବେ ଗତକାଲି ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଛି । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଛି । ୭ ପୃଷ୍ଠାର ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି । ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ମହନ୍ତ ମଧ୍ୟ ନିଜ ଶିଷ୍ୟଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ପ୍ରୟାଗରାଜର ନିଜ ମଠର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା । ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି ।