ସୁନ୍ଦରଗଡ଼ର ବିରଜୁ କୁଲୁ ଫେରିବା ପରେ ସାମ୍ନାକୁ ଆସିଲା ଭଦ୍ରକର ଆନନ୍ଦ ପତ୍ରୀଙ୍କ କାହାଣୀ । ୫୫ ବର୍ଷ ହେଲା ପାକିସ୍ତାନର ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି

712

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ୨୫ ବର୍ଷ ବନ୍ଦୀ ଜୀବନ କାଟି ସୁନ୍ଦରଗଡର ବିରଜୁ କୁଲୁ ଗାଁକୁ ଫେରିବା ପରେ ଭଦ୍ରକର ଆନନ୍ଦ ପତ୍ରୀଙ୍କ ପରିବାରରେ ନୂଆ ଆଶା ସଂଚାର ହୋଇଛି । ଭାରତ ସରକାର ବିରଜଙ୍କୁ ନିଜ ଗାଁକୁ ଫେରାଇ ଆଣିବା ଭଳି ଆନନ୍ଦଙ୍କୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପୁଅ ।

୧୯୬୫ ମସିହା ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କଲିକତା ରେଜିମେଂଟରେ ସିପାହୀ ଭାବେ କାର୍ଯ୍ୟ କରୁଥିଲେ ଆନନ୍ଦ ପତ୍ରୀ । ସେହିସମୟରେ ୱାଘା ବର୍ଡରରେ ନିୟୋଜିତ ଥିବା ଆନନ୍ଦ ହଠାତ୍ ଦିନେ ନିଖୋଜ୍ ହୋଇଯାଇଥିଲେ । ସେବେଠାରୁ ଆନନ୍ଦଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ତାଙ୍କ ପରିବାର । ୨୦୦୩ ଫେବ୍ରୁଆରୀ ୭ ତାରିଖରେ ଏକ ସମ୍ବାଦ ପତ୍ରରେ ଆନନ୍ଦଙ୍କ ଫଟୋ ଦେଖିବା ପରେ ସେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଜଣାପଡିଥିଲା । ସେବେଠାରୁ ଆନନ୍ଦଙ୍କ ମୁକ୍ତି ପାଇଁ ଉଦ୍ୟମ ଜାରି ରଖିଛନ୍ତି ତାଙ୍କ ପୁଅ । ଏନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଭାରତ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ମଧ୍ୟ ଲେଖିଛନ୍ତି । ଏପରିକି ଆନନ୍ଦଙ୍କ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତକ୍ରାଳିନ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ସୂଚନା ଅନୁସାରେ ୨୦୦୬ ମସିହାରେ ଯେତେବେଳେ ଦୁଇ ଦେଶର ଯୁଦ୍ଧ ବନ୍ଦୀମାନଙ୍କୁ ଅଦଳବଦଳ ନିୟମ ଅନୁଯାୟୀ ଛଡାଯାଉଥିଲା ତାଙ୍କ ବାପାଙ୍କୁ ମଧ୍ୟ ମୁକ୍ତି ମିଳିଯିବ ଭାବି ୱାଘା ବର୍ଡର ଯାଇଥିଲେ ବିଦ୍ୟାଧର । ହେଲେ , ଅନେକ ବନ୍ଦୀ ଫେରି ଆସିଥିଲେ ମଧ୍ୟ ଆନନ୍ଦଙ୍କର କୌଣସି ସୂଚନା ମିଳିନଥିଲା ।

ଏହା ଭିତରେ ଆନନ୍ଦ ନିଖୋଜ ହେବାକୁ ଦୀର୍ଘ ୫୫ ବର୍ଷ ବିତିଗଲାଣି । ହେଲେ ସେ କେଉଁଠି ଅଛନ୍ତି ଓ କିଭଳି ଅଛନ୍ତି ସେ ନେଇ ବୈଦେଶିକ ମନ୍ତ୍ରାଳୟ ପାଖରେ କୌଣସି ସଠିକ୍ ତଥ୍ୟ ନାହିଁ । କିନ୍ତୁ ଲାହୋର କୋର୍ଟ ଲାକପାଟ କେନ୍ଦ୍ରୀୟ ଜେଲରେ ଥିବା ନସିମ ଗୋପାଳ ନାମକ ଜଣେ ବନ୍ଦୀଙ୍କ ସହିତ ଆନନ୍ଦଙ୍କର ସାମଞ୍ଜସ୍ୟ ରହିଥିବା ସୂଚନା ଦେଇଥିଲା ବୈଦେଶିକ ମନ୍ତ୍ରାଳୟ । ତେଣୁ ସେ ଏବେ ଜୀବିତ କି ମୃତ ଏହାର ସତ୍ୟତା ଜାଣାଇବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ତାଙ୍କ ପରିବାର ।

ଦୀର୍ଘ ୨୫ ବର୍ଷ ପରେ ସୁନ୍ଦରଗଡର ବିରଜୁ ଫେରି ଆସିବା ପରେ ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଆନନ୍ଦଙ୍କୁ ଫେରାଇ ଆଣିବା ପାଇଁ ପୁଣି ଦାବି ହୋଇଛି ।