କନକ ବ୍ୟୁରୋ: ଗୋପାଳଗଞ୍ଜର ପୂର୍ବତନ ଜିଲ୍ଲାଧିକାରୀ ଜି, କୃଷ୍ଣୈୟାଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ପୂର୍ବ ସାଂସଦ ଆନନ୍ଦ ମୋହନ ସିଂହ ଜେଲରୁ ମୁକ୍ତ ହୋଇଛନ୍ତି । ଆଜି ଭୋର ସାଢେ ୪ଟା ସମୟରେ ଜେଲରୁ ମୁକୁଳିଲେ ଆନନ୍ଦ ମୋହନ । ହେଲେ ତାଙ୍କ ମୁକୁଳୁବାକୁ ବିରୋଧ କରି ପୁନର୍ବାର ପାଟଣା ହାଇକୋର୍ଟରେ ମାମଲା ଦାଏର ହୋଇଥିବା ଜଣାପଡିଛି ।

Advertisment

କିଛି ନେତା ଆନନ୍ଦମୋହନଙ୍କ ମୁକ୍ତିକୁ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ବିରୋଧ କରୁଥିବା ଜଣାପଡିଛି । ଆନନ୍ଦ ମୋହନଙ୍କୁ ମୁକ୍ତ କରାଯାଉଥିବାରୁ ଏହାକୁ ବିରୋଧ କରି ପାଟଣା ହାଇକୋର୍ଟରେ ଜନହିତରେ ଆବେଦନ ଦାଖଲ କରାଯିବା ସହ ନିତିଶ ସରକାରଙ୍କୁ ଭର୍ତ୍ସନା କରାଯାଇଛି ।

ସୂଚନା ମୁତାବକ, ୧୯୯୪ରେ ଯେତେବେଳେ ଆଇଏଏସ୍ ଜି କୃଷ୍ଣୈୟାଙ୍କୁ ହତ୍ୟା କରାଗଲା ସେତେବେଳେ ଗୋପାଳଗଞ୍ଜର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଥିଲେ । ୧୯୯୪ ଡିସେମ୍ବର ୫ ତାରିଖରେ ଉତ୍ତର ବିହାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟନ୍ ଶୁକ୍ଳାଙ୍କୁ ହତ୍ୟା କରାଯିବାକୁ ବିରୋଧ କରି ଚାରିଆଡେ ପ୍ରଦର୍ଶନ ହେଉଥାଏ । ମୁଜାଫରପୁରରେ ପ୍ରବଳ ଉତ୍ତେଜନା ଲାଗିରହିଥାଏ । ଲୋକେ ପୁଲିସ ଓ କୌଣସି ପ୍ରଶାସନିକ ଅଧିକାରୀଙ୍କ ଉପରେ ପ୍ରବଳ ରାଗିିଥାନ୍ତି । ସେହି ସମୟରେ ଗୋପାଳଗଞ୍ଜର ଜିଲ୍ଲାଧିକାରୀ ଜି କୃଷ୍ଣୈୟା ଏକ ସ୍ୱତନ୍ତ୍ର ବୈଠକରୁ ଫେରୁଥାନ୍ତି । ନିଜ ଲାଲ୍ ବତି ବାଲା କାରରେ ଆସୁଥିବାବେଳେ ତାଙ୍କ ଗାଡିକୁ ଘେରିଯାଇଥିଲେ ଉତ୍ତ୍ୟକ୍ତ ଲୋକେ କାର ଉପରକୁ ପଥରମାଡ କରିଥିଲେ ।

ଜି. କୃଷ୍ଣୈୟା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ସେ ମୁଜାଫରପୁରର ନୁହଁନ୍ତି ବରଂ ଗୋପାଳଗଂଜର ଡିଏମ୍ । କିନ୍ତୁ କେହି ବି ତାଙ୍କ କଥାକୁ ଶୁଣିନଥିଲେ । ଲୋକେ ତାଙ୍କ କାର ଭିତରୁ ଟାଣିଆଣି ନିସ୍ତୁକ ମାଡ ମାରିବା ସହ ଗୁଳି କରିଥିଲେ । ତାଙ୍କୁ ଏକ ଗାତ ଭିତରେ ପକାଇଦେଇଥିଲେ । ସେ ସମୟରେ ଏହି ଘଟଣା ପୁରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଦଙ୍ଗାକୁ ଉସକାଇବା ଅଭିଯୋଗରେ ଆନନ୍ଦ ମୋହନଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ କୋର୍ଟ । ହେଲେ ତାହା ପରବର୍ତ୍ତୀ ସମୟରେ ଆଜୀବନ କାରାଦଣ୍ଡରେ ବଦଳିଥିଲା ।