ରାସ୍ତାକଡର ଜୋତା ହସ୍ପିଟାଲ ! ଯାହା ଦେଶର ଧନୀ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କୁ କଲା ପ୍ରଭାବିତ, କହିଲେ ନିବେଶ କରିବାକୁ ଚାହୁଁଛି ଟଙ୍କା

28

ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କୁ ଆଇଆଇଏମରେ ପଢାଇବାକୁ ସୁଯୋଗ ଦିଆଯାଉ । ଏକଥା ଖୋଦ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ପେଜରେ ଲେଖିଛନ୍ତି । ଏକଥା କହିବା ପଛରେ ମଧ୍ୟ ଏକ ବଡ କାରଣ ଲୁଚି ରହିଛି । ଗତ କିଛି ଦିନ ପୂର୍ବେ ଆନନ୍ଦ ମହିନ୍ଦ୍ରା ଜଣେ ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କର ଫଟୋ ସେୟାର କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ହୋଇଥିବା ଫଟୋରେ ନରସିରାମ ନାମକ ଜଣେ ବ୍ୟକ୍ତି ଜୋତା ମରାମତି କରୁଥିବାର ନଜର ଆସୁଛନ୍ତି । ଏବଂ ସବୁଠୁ ମଜାଦାର କଥା ହେଲା ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କ ପଛରେ ଏକ ପୋଷ୍ଟର ଲାଗିଛି । ଯାହା ଜୋତା ମରାମତି କରିବାକୁ ଆସୁଥିବା ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ପୋଷ୍ଟରରେ ନିଜକୁ ଜୋତା ମରାମତି କରୁଥିବା ଡାକ୍ତର ଭାବେ ଚିତ୍ରଣ କରିବା ସହ ଦୋକାନକୁ ଖରାପ ଜୋତାର ଡାକ୍ତରଖାନା ବୋଲି ଦର୍ଶାଇଛନ୍ତି ।ପୂରା ମେଡିକାଲ ଷ୍ଟାଇଲରେ କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ଏହା ଖୋଲା ରହିବ ତାହା ମଧ୍ୟ ଲେଖାଯାଇଛି । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନରସିରାମଙ୍କ ଏହି ଦୋକାନ ଖୋଲାରାହୁଥିବା ବେଳେ ମଝିରେ ୧ ଘଣ୍ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିଥାଏ । ଏଠାରେ ଜର୍ମାନୀ ଜ୍ଞାନକୌଶଳରେ ଜୋତା ମରାମତି କରାଯାଇଥାଏ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ବ୍ୟବସାୟ ପାଇଁ ନରସିରାମଙ୍କ ଏହି ବିଚକ୍ଷଣ ଆଇଡିଆ ଆନନ୍ଦ ମହିନ୍ଦ୍ରାଙ୍କୁ ବେଶ ପ୍ରଭାବିତ କରିଥିଲା । ତେଣୁ ସେ ଟ୍ୱିଟର ପେଜରେ ଉକ୍ତ ବ୍ୟକ୍ତିଙ୍କ ଫଟୋ ଦେଇ ତାଙ୍କୁ ଆଇଆଇଏମରେ ମାକେଟିଂ ବିଷୟରେ ପଢାଇବାକୁ ସୁଯୋଗ ଦେବାକୁ କହିଛନ୍ତି । କାରଣ ନରସିରାମ ଯେଉଁଭଳି ଭାବେ କେଉଁଆଡକୁ ନ ଯାଇ ମଧ୍ୟ ନିଜ ବ୍ୟବସାୟର ମାକେଟିଂ କରୁଛନ୍ତି ତାହା ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୋତା ମରାମତି କରୁଥିବା ବ୍ୟକ୍ତିଙ୍କ ମାକେଟିଂ ଆଇଡିଆ ଆନନ୍ଦ ମହିନ୍ଦ୍ରାଙ୍କୁ ବେଶ ପ୍ରଭାବିତ କରିପାରିଛି । ଏପରିକି ତାଙ୍କ ଦୋକାନରେ ଆନନ୍ଦ ମହିନ୍ଦ୍ରା ଟଙ୍କା ନିବେଶ କରିବା କଥା କହିଛନ୍ତି । ଏହାସହ ନରସିରାମଙ୍କୁ ମହିନ୍ଦ୍ରା ଟ୍ରାକ୍ଟରରେ ବୁଲାଇବା ସହ ଫୁଲତୋଡା ଦେଇ ସମ୍ମାନିତ କରାଯାଇଛି ।