ଚର୍ଚ୍ଚାରେ ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ୍ । ଲେଖିଲେ, ଜୀବନର ପତ୍ୟେକ କ୍ଷେତ୍ରରେ ସ୍କ୍ରିନ ଲାଗିଯାଇଛି । ଦେଖନ୍ତୁ, ସେହି ଭିଡିଓ…

212

କନକ ବ୍ୟୁରୋ: କରୋନା ସମୟରେ ଲକଡାଉନ, ସଟଡାଉନ ଚାଲିଲା । ଏହି ସମୟରେ ଆପଣମାନେ ବହୁତ ସମୟ ଟିଭି ଆଗରେ ବିତେଇଥିବେ ନିଶ୍ଚୟ । କରୋନା ପୂର୍ବରୁ ଟିଭି ଦେଖିବାପାଇଁ ସମୟ ନଥିଲା , ଲକଡାଉନ ସମୟରେ ଟିଭି ଦେଖି ଦେଖି ବୋର ହୋଇଥିବେ । ଏହି ଦୁଇ ବର୍ଷରେ ଅନେକ ଲୋକଙ୍କ ଜୀବନ ସ୍କ୍ରିନ ବା ପରଦା ମଧ୍ୟରେ ବିତିଯାଇଛି । ସେ ଟିଭି ପରଦା ହେଉ କି ମୋବାଇଲ ପରଦା, ଦିନର ଅଧିକାଂଶ ସମୟ କେବଳ ଟିଭି, ମୋବାଇଲ ଓ ଟ୍ୟାବ ଦେଖାରେ ଅତିବାହିତ ହୋଇଛି । କିନ୍ତୁ ଅନେକ ଲୋକ ସେଥିରୁ ବାହାରିବାକୁ ଚାହିଁଛନ୍ତି କିନ୍ତୁ ବାହାରିପାରିନାହାନ୍ତି, ପଡିଆରେ ଖେଳିବାକୁ ଚାହିଁଛନ୍ତି କିନ୍ତୁ ଖେଳିପାରିନାହାନ୍ତି, ବାହାରକୁ ବାହାରି ମୁକ୍ତ ଭାବରେ ବୁଲିବାକୁ ଚାହିଁଛନ୍ତି କିନ୍ତୁ ବୁଲିପାରିନାହାନ୍ତି ।

ଏହାରି ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କ ଟିଭିକୁ ନେଇ ଗୋଟିଏ ନିଆରା ଟ୍ୱିଟ୍ ଚର୍ଚ୍ଚାର ପରିସରକୁ ଆସିଛି । ଆନନ୍ଦ ମହିନ୍ଦ୍ରା ପୁରୁଣା ସମୟରେ  କ୍ରିକେଟ ଖେଳୁଥିବା କିଛି ଛୋଟ ପିଲାଙ୍କ ଭିଡିଓ ସେୟାର କରିଛନ୍ତି । କିନ୍ତୁ ଏ ଭିଡିଓରେ ଗୋଟିଏ ଟ୍ୱିଷ୍ଟ ଅଛି । ଟିଭିରେ ଦେଖାଯାଉଛି କିଛି ପିଲା କ୍ରିକେଟ ଖେଳୁଛନ୍ତି । ଆଉ ଏହି କ୍ରିକେଟ ଖେଳକୁ ଟିଭି ପାଖରେ ବସି କିଛି ଛୋଟ ପିଲା ଉପଭୋଗ କରୁଛନ୍ତି । ହଠାତ ଟିଭି ଭିତରୁ ବଲ ଆସି ଟିଭି ବାହାରେ ପଡୁଛି ଓ ଟିଭି ଭିତରୁ ଗୋଟିଏ ହାତ ବାହାରକୁ ବାହାରୁଛି ଯିଏକି ବଲ ମାଗିବାକୁ ଆସିଛି । ଟିଭି ଦେଖୁଥିବା ପିଲା ସେହି ବଲକୁ ଟିଭି ଭିତର ପିଲାଙ୍କୁ ଦେଉଛନ୍ତି  । ଏଥିରୁ ଏହା ଜଣାପଡୁଛି ଯେ ଟିଭିରେ କିଛି ଚାଲିନାହିଁ  କିମ୍ବା ଲାଇଭ ଟେଲିକାଷ୍ଟ ଚାଲିନାହିଁ । ଟିଭି ପଛପଟେ ସତସତିକା କ୍ରିକେଟ ଖେଳ ଚାଲିଛି ଓ କେବଳ ଟିଭିର ଖୋଳଟି ସେହି ସ୍ଥାନରେ ରଖାଯାଇଛି  । ଆନନ୍ଦ ମହିନ୍ଦ୍ରା କିନ୍ତୁ ଏହି ଭିଡିଓକୁ ନେଇ ଗଭୀର ଭାବରେ ଚିନ୍ତା କରି କିଛି ଲେଖିଛନ୍ତି ଯାହା ଚର୍ଚାର ପରିସରକୁ ଆସିଛି  ।

କରୋନା ପରେ କେମିତି ଜୀବନର ପତ୍ୟେକ କ୍ଷେତ୍ରରେ ସ୍କ୍ରିନ ଲାଗିଯାଇଛି, ଆମେ ସେ ସ୍କ୍ରିନ ବାହାରକୁ ବାହାରିପାରୁନେ । କଟକଣା ଆମ ଜୀବନରେ ଗତିବିଧିରେ ଅନ୍ତରାୟ ସୃଷ୍ଟି କରିଛି । ସେ ପରଦାକୁ ଭାଙ୍ଗିବା ଏ ସମୟରେ କଷ୍ଟକର ଓ ସେହି କଷ୍ଟକୁ ସାରା ବିଶ୍ୱ ଭୋଗୁଛି । ସେ ଲେଖିଛନ୍ତି ଜୀବନର ଅସଲ ମଜାକୁ ସେ ଆଉ ଥରେ ନେବାପାଇଁ ଚାହାନ୍ତି । ଆଉ ଥରେ ପୂର୍ବ ଭଳି ସବୁ ଅବସ୍ଥା ଫେରିଆସିବା ଦରକାର ବୋଲି ସେ ଲେଖିଛନ୍ତି । ଏହି ଭିଡିଓକୁ ଦେଢଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଲୋକ ଏହି ଅନୁଭବକୁ ବୁଝିପାରିଛନ୍ତି ଓ ତାଙ୍କ ଜୀବନ ସହ ଯୋଡିପାରିଛନ୍ତି । ଅନେକ ଲୋକ ଲେଖିଛନ୍ତି ଆମେ ପୂର୍ବ ଭଳି ଜୀବନକୁ ଉପଭୋଗ କରିବାକୁ ଚାହୁଁ । ସତରେ କଣ ପୂରୁଣା ସମୟ ଫେରିବ । ମାସ୍କ ପିନ୍ଧା ସମାଜ ଅନେକଙ୍କୁ ଦଃଖ ଦେଉଛି । କେହି କାହାକୁ ଚିହ୍ନି ପାରୁନାହାନ୍ତି । ଗୋଟିଏ ଅଜଣା ବିଶ୍ୱକୁ ଆମେ ଠେଲି ହୋଇ ପଳେଇଛେ ଯେଉଁଠୁ ବାହାରିବା କି ନାହିଁ ଆମେ ଜାଣିନାହୁଁ ।